ସିସିଟିଭି ଫୁଟେଜରୁ ଧରାପଡ଼ିଲେ ୩ ଗୋରୁ ଚୋର, କଏଦ ହୋଇଛି ସବୁକିଛି…
ବଞ୍ଚୋ,୧୪ା୧୦(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଗୋରୁ ଚୋରି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଯାଞ୍ଚ ଓ ତଦନ୍ତ ପରେ ପୋଲିସ ଏହି ସଫଳତା ପାଇଥିବା ଜଣାପଡ଼ିଛି।
ପୋଲିସ, ସୂଚନା ଅନୁଯାୟୀ, ଆନନ୍ଦପୁରର ହାଡ଼ିବନ୍ଧୁ ଖୁଣ୍ଟିଆ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଗତ ଅଗଷ୍ଟ ୨୯ ଓ ୩୦ ତାରିଖ ମଧ୍ୟବର୍ତ୍ତୀ ରାତିରେ ଆନନ୍ଦପୁର ବ୍ଲକ ରୋଡ ଅଞ୍ଚଳରୁ ଏକ ଚାରିଚକିଆ ଗାଡ଼ିରେ ଆସି କିଛି ଅଜଣା ବ୍ୟକ୍ତି ଗୋରୁ ଚୋରି କରି ନେଇଥିବା ସେ ଅଭିଯୋଗ କରିଥିଲେ। ଏହି ଘଟଣା ସମ୍ପର୍କିତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଆନନ୍ଦପୁର ଥାନା ପୋଲିସ କେସ୍ ନଂ ୨୪୧/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ କରି ୩ ଜଣଙ୍କୁ ଚିହ୍ନଟ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଞ୍ଚଳର ପୁରୁଣାବଜାର ନିବାସୀ ଏମଡି ସାହାବାଜ (୩୨), ଯଶୀପୁର ଥାନା ଅଞ୍ଚଳର ଧୋବାଡିଆ ଗ୍ରାମର ଏମ୍ଡି ରେହାନ (୧୯) ଏବଂ ରାଇରଙ୍ଗପୁର ଥାନା ଅଞ୍ଚଳର ଟେଣ୍ଟାପୋଷି ଗ୍ରାମର ଶେଖ୍ ନାଜିର (୨୭)।
ବୁଧବାର ଆନନ୍ଦପୁର ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ସେମାନଙ୍କୁ ଅଦାଲତକୁ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।