ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

Oct 06, 2026 - 22:48
ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ ମନ୍ଦିରର ହୁଣ୍ଡି ଉଠାଇ ନେଇଥିବା ବେଳେ ଅନ୍ୟ ଗୋଷ୍ଠୀ ଜଣେ ଯୁବକଙ୍କ ସ୍କୁଟି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, କାଣ୍ଡସର ଗ୍ରାମ ନିକଟରେ ଦୀର୍ଘଦିନ ହେଲା ଚାଲିଥିବା ଜୁଆଆଡ୍ଡାକୁ ନେଇ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଛକାପଞ୍ଝା ଓ ଚାପା ଉତ୍ତେଜନା ଲାଗିରହିଥିଲା। ଗତ ସୋମବାର ସନ୍ଧ୍ୟାରେ ଗାଁ ମନ୍ଦିର ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ସଂଘବଦ୍ଧ ହୋଇ ସେଠାରେ ପହଞ୍ଚି ନିଜର ପ୍ରାପ୍ୟ ମାଗିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଓ ପରେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ଗୋଟିଏ ଗୋଷ୍ଠୀ ମନ୍ଦିର ହୁଣ୍ଡି ଉଠାଇ ନେଇଥିବା ବେଳେ ଅପର ଗୋଷ୍ଠୀ ଜଣେ ଯୁବକଙ୍କ ସ୍କୁଟି ଛଡ଼ାଇ ରଖିଥିଲେ।

ଅଭିଯୋଗ ହୋଇଛି ଯେ, କିଛି ନିର୍ଦ୍ଦିଷ୍ଟ ପେଶାଦାର ଅପରାଧୀ ରାଜନୈତିକ ଛତ୍ରଛାୟା ଏବଂ ସ୍ଥାନୀୟ କିଛି ପୋଲିସ ଅଧିକାରୀଙ୍କ ଅଭୟ ଆଶୀର୍ବାଦରେ ଏଠାକାର ଗ୍ରାମାଞ୍ଚଳରେ ରୀତିମତ ଜୁଆଆଡ୍ଡା ଚଳାଇଛନ୍ତି। ଗୁପ୍ତ ସୂଚନା ପାଇ ପୁଲିସ ଚଢ଼ାଉ କରୁଥିଲେ ମଧ୍ୟ ଚଢ଼ାଉ ପୂର୍ବରୁ ଫୋନ୍‌କଲ୍‌ ପାଇ ଜୁଆଡ଼ିମାନେ ପାହାଡ଼ ଓ ବିଭିନ୍ନ ଗ୍ରାମୀଣ ରାସ୍ତାରେ ଚମ୍ପଟ ମାରୁଛନ୍ତି।

ଏହି ଜୁଆଆଡ୍ଡାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସମେତ ବ୍ରହ୍ମପୁର, ଚିକିଟି, ପାତ୍ରପୁର, ଆସିକା, ସୋରଡ଼ା, ଭଞ୍ଜନଗର ଓ ଛତ୍ରପୁର ଅଞ୍ଚଳରୁ ବହୁସଂଖ୍ୟକ ଜୁଆଡ଼ି ପ୍ରତିଦିନ ଆସୁଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅପର ଗୋଷ୍ଠୀର ବହୁ ଯୁବକ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।