ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

Oct 29, 2026 - 23:33
ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ର ଜୋଲାପୁଟ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୦,୦୦୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଜଳଭଣ୍ଡାର କର୍ତ୍ତୃପକ୍ଷ ଗୁରୁବାର ସକାଳ ୧୦ଟା ସୁଦ୍ଧା ଜଳଭଣ୍ଡାରର ୪, ପାୱାର ସ୍ବିସ ୨ ଓ ସ୍କୋର ସ୍ବିସ୍‌ ୨ ସମୁଦାୟ ୮ଟି ଗେଟ୍‌ ଖୋଲି ୩୦ ୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ସୂଚନା ଦେଇଛନ୍ତି।

କୋରାପୁଟ ଜିଲା, ନନ୍ଦପୁର ତହସିଲ ଓ ଜଳଭଣ୍ଡାର କର୍ତ୍ତୃପକ୍ଷ ତଳମୁଣ୍ଡର ଗ୍ରାମବାସୀ, ମାଛକୁଣ୍ଡ ଓ ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ସତର୍କ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ଥିବା ଆନ୍ଧ୍ର ଏଏସ୍‌ଆର୍‌ ଜିଲାରେ ୯୪ ମି.ମି. ବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜିଛି। ଏହାଦ୍ୱାରା ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ପିଛା ୪୦ ହଜାର କ୍ୟୁସେକ ବର୍ଷାଜଳ ପ୍ରବେଶ କରୁଛି। ତଳମୁଣ୍ଡର ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପର ଟର୍ବାଇନ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ପ୍ରକଳ୍ପ କର୍ମଚାରୀମାନେ ପାଣିକୁ ଅଟକାଇବା ଓ ନିୟନ୍ତ୍ରଣ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି। ଏଥିରେ ବିଦ୍ୟୁତ୍‌ ଉତ୍ପାଦନ ଉପରେ କେତେ ପ୍ରଭାବ ପଡ଼ିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ୨୦୨୪ରେ ଲଗାଣ ବର୍ଷାରେ ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ ଅଞ୍ଚଳକୁ ପାଣି ପ୍ରବେଶ କରିଥିଲା। ଏହାର ପ୍ରଭାବରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ଜୋଲାପୁଟ ଜଳଭଣ୍ଡାରର ଜଳସ୍ତର ଓ ଜଳ ନିଷ୍କାସନ ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।