‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

Sep 28, 2026 - 17:27
‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ଏଥର CJP ଦିଲ୍ଲୀରେ ନୁହେଁ, ମୁମ୍ବାଇରେ ଆନ୍ଦୋଳନ କରିବ। ଅଭିଜିତ ଦୀପ୍‌କେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି।

ଅଭିଜିତ ଦୀପ୍‌କେ ଲେଖିଛନ୍ତି, ‘ମୁମ୍ବାଇରେ ଜେଲ ଭରୋ ଆନ୍ଦୋଳନ। ଅକ୍ଟୋବର ୨, ଶିବାଜୀ ପାର୍କ।’ ଏହାପରେ ଦୀପ୍‌କେ ଆଉ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ଲେଖାଥିଲା ‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ।’

ଗୁରୁବାର ଅଭିଜିତ ଦୀପ୍‌କେ ଦିଲ୍ଲୀରେ ଖବରଦାତା ସମ୍ମିଳନୀ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୪୮ ଘଣ୍ଟାର ସମୟସୀମା ଦେଇଥିଲେ। ସେ କହିଥିଲେ, ୪୮ ଘଣ୍ଟା ମଧ୍ୟରେ ଯଦି ଜ୍ଞାନେଶ କୁମାର ଇସ୍ତଫା ନଦିଅନ୍ତି, ତେବେ ତାଙ୍କ ଦଳ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ଇସ୍ତଫା ନହେବା ପର୍ଯ୍ୟନ୍ତ ସେମାନେ ପଛକୁ ହଟିବେ ନାହିଁ ବୋଲି ସେ କହିଥିଲେ।

ଖବରଦାତା ସମ୍ମିଳନୀରେ ଦୀପକେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଅନୁସାରେ, ଜ୍ଞାନେଶ କୁମାର ଦେଶର ଗଣତନ୍ତ୍ର ପାଇଁ ବଡ଼ ବିପଦ। ସେ କହିଥିଲେ, ମୁଖ୍ୟ ନିର୍ବାଚନ କମିଶନର ହେବା ପରେ ସରକାର ନିଷ୍ପତ୍ତି ନେଉଛି କିଏ ଭୋଟ ଦେବାକୁ ଅନୁମତି ପାଇବେ ଏବଂ କିଏ ପାଇବେ ନାହିଁ। ଏଭଳି ବ୍ୟବସ୍ଥାକୁ କ’ଣ ଗଣତନ୍ତ୍ର କୁହାଯାଇପାରିବ? ମୁମ୍ବାଇ ପୋଲିସ ଗତ ରବିବାର CJPକୁ ଅକ୍ଟୋବର ୨ରେ ଶିବାଜୀ ପାର୍କରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ, ନଗର ନିଗମର ଅନୁମତି ନଥିବା ଏବଂ ଟ୍ରାଫିକରେ ବାଧା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ପୋଲିସ ଆନ୍ଦୋଳନକୁ ଅନୁମତି ଦେଇନାହିଁ।

ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ମଧ୍ୟ CJPର ଏହି ପ୍ରତିବାଦକୁ ସମର୍ଥନ କରିବେ। ସେ କହିଛନ୍ତି, ମୋ ପାଇଁ ଆନ୍ଦୋଳନକୁ ସମର୍ଥନ କରିବାର ଉଦ୍ଦେଶ୍ୟ ହେଉଛି, ଆନ୍ଦୋଳନଗୁଡ଼ିକ ନିଜ ଶକ୍ତିରେ ଆଗକୁ ବଢ଼ିବା। ଏବେ ଏହି ପ୍ରସଙ୍ଗକୁ ନେଇ ଅନେକ ଲୋକ ସାମ୍ନାକୁ ଆସିଛନ୍ତି। ଏହା ଦେଖି ମୋତେ ଖୁସି ଲାଗୁଛି। ତେଣୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଜଡ଼ିତ ଏହି ପ୍ରସଙ୍ଗରେ ହୁଏତ ମୋର ଆଉ ଆବଶ୍ୟକତା ପଡ଼ିବ ନାହିଁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।