ରେକର୍ଡ ବର୍ଷା କଲେ କୋହଲି-ଗିଲ୍: ଗୋଟିଏ ମ୍ୟାଚ୍ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ
ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍ର ଓପନିଂ ଯୋଡ଼ି ୧୩୫ ରନ୍ର ଭାଗିଦାରୀ କରିଥିଲେ ମଧ୍ୟ ଦଳ ୨୯୫ ରନ୍ରେ ସୀମିତ ରହିଥିଲା। ଜବାବରେ ଭାରତ ମାତ୍ର ୪୧.୪ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।
ଭାରତ ପକ୍ଷରୁ ବିରାଟ କୋହଲି ୧୩୯ ରନ୍ରେ ଅପରାଜିତ ରହିଥିବା ବେଳେ ଶୁବମନ ଗିଲ ମଧ୍ୟ ଶତକୀୟ ପାଳି ଖେଳିଥିଲେ। ରୋହିତ ଶର୍ମା ୩୫ ରନ କରି ଆଉଟ ହେବା ପରେ କୋହଲି ଓ ଗିଲ ଭାରତର ବିଜୟକୁ ସହଜ କରିଥିଲେ। ଏହି ମ୍ୟାଚ୍ରେ ଉଭୟ ବ୍ୟାଟର୍ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।
ସଚିନ ତେନ୍ଦୁଲକରଙ୍କ ପରେ ଦିନିକିଆ କ୍ରିକେଟ୍ରେ ୧୫,୦୦୦ ରନ ପୂରଣ କରିବାରେ ବିରାଟ କୋହଲି ବିଶ୍ୱର ଦ୍ୱିତୀୟ ବ୍ୟାଟର୍ ହୋଇଛନ୍ତି। କୋହଲି ୩୦୩ଟି ଇନିଂସରେ ଏହି ମାଇଲଷ୍ଟୋନ ଛୁଇଁଥିବାବେଳେ ସଚିନଙ୍କୁ ୩୭୭ଟି ଇନିଂସ ଲାଗିଥିଲା।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିବା ସହ କୋହଲି ଏକ ନୂଆ ରେକର୍ଡ କରିଛନ୍ତି। ଦିନିକିଆରେ ଦୁଇଟି ଭିନ୍ନ ଦଳ ବିପକ୍ଷରେ ୧୦ଟି ଲେଖାଏ ଶତକ ହାସଲ କରିବାରେ ସେ ପ୍ରଥମ ବ୍ୟାଟର୍ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ନାମରେ ୧୦ଟି ଲେଖାଏ ଶତକ ରହିଛି।
ଲିଷ୍ଟ-ଏ କ୍ରିକେଟ୍ଷର ସର୍ବାଧିକ ଶତକ ହାସଲ କରିବା ମାମଲାରେ କୋହଲି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଉଭୟଙ୍କ ନାମରେ ଏବେ ୬୦ଟି ଲେଖାଏ ଲିଷ୍ଟ-ଏ ଶତକ ରହିଛି।
ଭାରତୀୟ ମାଟିରେ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍ରେ କୋହଲିଙ୍କ ଶତକ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ମାମଲାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ସଚିନ ମଧ୍ୟ ଭାରତୀୟ ମାଟିରେ ୪୨ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ।
ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ୯ଟି ଛକା ମାରିଥିଲେ। ଏହା ଗୋଟିଏ ଦିନିକିଆ ଇନିଂସରେ କୋହଲିଙ୍କ ସର୍ବାଧିକ ଛକା। ଏହି ମ୍ୟାଚ୍ରେ ସେ ନିଜର ବ୍ୟକ୍ତିଗତ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।
ବିରାଟ କୋହଲିଙ୍କ ସହ ଶୁବମନ ଗିଲ ମଧ୍ୟ ଏହି ମ୍ୟାଚ୍ରେ ରେକର୍ଡ ବୁକ୍ରେ ନିଜ ନାମ ଲେଖାଇଛନ୍ତି।
ଗିଲ ୨୦୨୬ରେ ଦିନିକିଆରେ ସର୍ବାଧିକ ରନ କରିଥିବା ବ୍ୟାଟର୍ ହୋଇଛନ୍ତି। ୯ଟି ଇନିଂସରୁ ତାଙ୍କ ନାମରେ ୬୭୧ ରନ ରହିଛି। ସେ ଜୋ ରୁଟକୁ ପଛରେ ପକାଇଛନ୍ତି, ଯିଏ ୯ଟି ଇନିଂସରେ ୫୭୩ ରନ କରିଛନ୍ତି।
ଗିଲ ମାତ୍ର ୬୭ଟି ଇନିଂସରେ ନିଜର ୧୦ମ ଦିନିକିଆ ଶତକ ହାସଲ କରିଛନ୍ତି। ଏହା ସହ ସେ ସବୁଠାରୁ କମ ଇନିଂସରେ ୧୦ଟି ଦିନିକିଆ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର୍ ହୋଇଛନ୍ତି। ଏହି ତାଲିକାରେ ଶିଖର ଧାୱନ ୭୭ଟି ଏବଂ ବିରାଟ କୋହଲି ୮୦ଟି ଇନିଂସ ନେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।