ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

Nov 05, 2026 - 15:46
ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ ଦେଖିବା ପରେ ଜଣେ ବ୍ୟବସାୟୀ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତ ବ୍ୟବସାୟୀ ଆନନ୍ଦରାଜଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ମୃତ ଯୁବକଙ୍କ ନାମ କିରଣ । ସେ କେରଳର ପାଲକ୍କାଡ୍‌ ଜିଲାର ବାସିନ୍ଦା । ଗତ କିଛି ବର୍ଷ ଧରି ସେ ଅଭିଯୁକ୍ତ ଆନନ୍ଦରାଜଙ୍କ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍‌ରେ କାମ କରୁଥିଲେ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଆନନ୍ଦରାଜ ନିକଟରେ ନିଜ ଝିଅ ଓ କିରଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତଙ୍କ ଝିଅ ଅନ୍ୟ ଏକ ସହରରେ ପାଠ ପଢ଼ୁଥିବା ବେଳେ ଛୁଟିରେ ବେଙ୍ଗାଲୁରୁସ୍ଥିତ ଘରକୁ ଆସିଥିଲେ । ପୋଲିସର ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଆନନ୍ଦରାଜ ଓ ତାଙ୍କ ପତ୍ନୀ ଝିଅକୁ କହିଥିଲେ ଯେ ସେମାନେ ଦିନସାରା ଘର ବାହାରେ ରହିବେ । କିନ୍ତୁ ଘରୁ ବାହାରିବାର କିଛି ଘଣ୍ଟା ପରେ ଉଭୟ ଫେରି ଆସିଥିଲେ। ଏହି ସମୟରେ ଏକ କୋଠରିରେ କିରଣଙ୍କୁ ନିଜ ଝିଅ ସହ ଦେଖିଥିଲେ।

ଏହାପରେ ଆନନ୍ଦରାଜ ପ୍ରଥମେ ଝିଅକୁ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ । ପରେ କିରଣଙ୍କ ସହ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ମାଡ଼ରେ କିରଣଙ୍କ ଶରୀରରେ ଏକାଧିକ ଗୁରୁତର ଆଘାତ ଲାଗିଥିଲା ଏବଂ ସେ ଅଚେତ ହୋଇପଡ଼ିଥିଲେ।

ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ପକ୍ଷରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।