ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

Oct 12, 2026 - 16:40
ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ସବୁଠାରୁ ଖାସ ରହିଛି ତାଙ୍କ ବାପା ସଚିନ ତେନ୍ଦୁଲକରଙ୍କ ଭାବପ୍ରବଣ ଜନ୍ମଦିନ ବାର୍ତ୍ତା।

ସଚିନ ତେନ୍ଦୁଲକର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାରାଙ୍କ ସହ ଏକ କଳାଧଳା ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସାରା ମରାଠୀ ପାରମ୍ପରିକ ପୋଷାକରେ ନଜର ଆସିଥିବା ବେଳେ ସଚିନ କୁର୍ତ୍ତା ପିନ୍ଧିଛନ୍ତି। ଫଟୋ ସହ ସଚିନ ଲେଖିଛନ୍ତି, ଏକ ସମୟ ଥିଲା, ଯେତେବେଳେ ମୁଁ ତୁମକୁ ରାସ୍ତା ଦେଖାଉଥିଲି। ଏବେ ଆଉ ସେମିତି ନାହିଁ। ତୁମେ ଯେଉଁ ରାସ୍ତା ବାଛିଛ, ସେହି ରାସ୍ତାରେ ତୁମକୁ ଆଗକୁ ବଢ଼ୁଥିବା ଦେଖି ମୁଁ ଖୁସି । ଜନ୍ମଦିନର ଅନେକ ଶୁଭେଚ୍ଛା, ସାରା। ତୁମକୁ ବହୁତ ଭଲ ପାଏ।

ସଚିନଙ୍କ ଏହି ପୋଷ୍ଟ ବାପା ଓ ଝିଅଙ୍କ ମଧ୍ୟରେ ଥିବା ଗଭୀର ସ୍ନେହ ଓ ଭଲପାଇବାକୁ ପ୍ରକାଶ କରୁଛି। ଝିଅ ନିଜ ଜୀବନର ନିଷ୍ପତ୍ତି ନିଜେ ନେଇ ଆଗକୁ ବଢ଼ୁଥିବା ଦେଖି ବାପା ଭାବେ ସେ ଗର୍ବିତ ଓ ଖୁସି ବୋଲି ତାଙ୍କ ବାର୍ତ୍ତାରୁ ସ୍ପଷ୍ଟ ହେଉଛି।

ସଚିନଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି। ସାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଅନେକ ଲୋକ କମେଣ୍ଟ କରିଛନ୍ତି। ଖବର ଲେଖାଯିବାର ପ୍ରାୟ ୫ ଘଣ୍ଟା ପୂର୍ବରୁ ଶେୟାର ହୋଇଥିବା ଏହି ପୋଷ୍ଟରେ ପ୍ରାୟ ୮ ଲକ୍ଷ ଲାଇକ ମିଳିଥିବା ଜଣାପଡ଼ିଛି। ସଚିନଙ୍କ ଏହି ସ୍ନେହଭରା ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।