ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା
ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ ପହଞ୍ଚିଛନ୍ତି ଗାଁର ମହିଳା ପୁରୁଷ। ଗାଁରେ ଏସ୍ଏସଜି ମହିଳାମାନେ ମଦମୁକ୍ତ ଅଭିଯାନ ଆରମ୍ଭ କରି ମହିଳା ନିଶା ନିବାରଣ ସଚେତନତା କରି ଗାଁରେ ମଦ ବନ୍ଦ କରିବାକୁ ଅଣ୍ଟା ଭିଡିଥିବାବେଳେ କିଛି ଅସାମାଜିକ ଲୋକ ଦୋକାନ ଖୋଲି ଖୋଲାଖୋଲି ମଦ ବିକ୍ରି କରୁଥିବା ନେଇ ଦେଓଗାଁର ମହିଳାମାନେ ଜିଲାପାଳଙ୍କଠାରେ ଅଭିଯୋଗ କରି କହିଛନ୍ତି। ଗାଁରେ ବେଆଇନ ଭାବରେ ଖୋଲାଖୋଲି ମଦବିକ୍ରି କରୁଥିବା ଜଣେ ଦୋକାନୀଙ୍କ ବିରୋଧରେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ବଙ୍ଗୋମୁଣ୍ଡା ଥାନା ଓ ଅବକାରୀ ବିଭାଗକୁ ଯେତେ ଗୁହାରି କଲେ ବି କେହି ଆମ କଥା ଶୁଣୁ ନ ଥିବା କହିଛନ୍ତି। ଓଲଟା ମଦ ବେପାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି କହିଛନ୍ତି। ଏଣୁ ବାଧ୍ୟ ହୋଇ ସୋମବାର ବଲାଙ୍ଗୀର ଜିଲାପାଳ ଅଫିସକୁ ୮୦କିଲୋମିଟର ଦୂରରୁ ଗ୍ରାମର ମହିଳା ମାନେ ଗାଁରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲାପାଳଙ୍କୁ ଗୁହାରି କରିଆସିଛୁ ବୋଲି କହିଛନ୍ତି। ଯଦି ଜିଲାପାଳ ନ ଶୁଣିବେ ତେବେ ଆମେ ଗ୍ରାମବାସୀ ଏକାଠି ହୋଇ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ନ ଥିବାରୁ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀଙ୍କୁ ମହିଳାମାନେ ଦାବିପତ୍ର ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।