ଟାଇଗର ଶ୍ରଫଙ୍କ ଘର ଉପରେ ଗୁଳିମାଡ଼ ପଛରେ ବଡ଼ ଷଡ଼ଯନ୍ତ୍ର! ଅକ୍ଷୟ, ଆମିର ଓ ଅମିତାଭଙ୍କ ଘର ଉପରେ ବି…
ମୁମ୍ବାଇ: ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ମାମଲାରେ ମୁମ୍ବାଇ ପୋଲିସ ହାତରେ ଲାଗିଛି ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥ୍ୟ। ପୋଲିସ ସୂତ୍ର ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପ୍ରଥମ ଟାର୍ଗେଟ ଥିଲେ ସଲମାନ ଖାନ। କିନ୍ତୁ ସଲମାନଙ୍କ ଉପରେ ଆକ୍ରମଣ ଯୋଜନା ବିଫଳ ହେବା ପରେ ଶୁଟରମାନଙ୍କୁ ଅନ୍ୟ ଜଣେ ସହଜ ଟାର୍ଗେଟ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ ହ୍ୟାଣ୍ଡଲରମାନେ। ଯେଉଁ ବଲିଉଡ ଷ୍ଟାରଙ୍କ ସୁରକ୍ଷା ବ୍ୟବସ୍ଥା ସବୁଠାରୁ କମ ଏବଂ ଢିଲା ଥିବ, ତାଙ୍କୁ ତୁରନ୍ତ ଟାର୍ଗେଟ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା।
ଏହାପରେ ଶୁଟରମାନେ ମୁମ୍ବାଇ ବୁଲିବା ବାହାନାରେ ଅମିତାଭ ବଚ୍ଚନ, ଆମିର ଖାନ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ ବଲିଉଡ ଷ୍ଟାର୍ଙ୍କ ଘରର ରେକି କରିଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଟାଇଗର ଶ୍ରଫ ପ୍ରତି ରବିବାର ଜୁହୁରେ ଫୁଟବଲ ଖେଳିବାକୁ ଆସନ୍ତି। ଏହାପରେ ଅକ୍ଟୋବର ୧୮ରେ ଟାଇଗରଙ୍କ ଉପରେ ଆକ୍ରମଣ କରାଯାଇଥିଲା।
ପୋଲିସ ସୂତ୍ର ଅନୁଯାୟୀ, ଆରମ୍ଭରେ ଶୁଟରମାନଙ୍କୁ ସଲମାନ ଖାନଙ୍କୁ ଟାର୍ଗେଟ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ସଲମାନଙ୍କୁ ଟାର୍ଗେଟ କରିବାର ଯୋଜନା ସଫଳ ହୋଇପାରି ନଥିଲା। ଏହାପରେ ହ୍ୟାଣ୍ଡଲରମାନେ ରଣନୀତି ବଦଳାଇ ଶୁଟରମାନଙ୍କୁ ବଲିଉଡରେ ନୂଆ ଟାର୍ଗେଟ ଖୋଜିବାକୁ କହିଥିଲେ।
ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ଶୁଟରମାନେ ପ୍ରାୟ ୨୦ ଦିନ ପୂର୍ବରୁ ମୁମ୍ବାଇରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନିଜକୁ ସାଧାରଣ ପ୍ରଶଂସକ ଭାବେ ଉପସ୍ଥାପନ କରୁଥିଲେ। ମୁମ୍ବାଇ ବୁଲିବା ଏବଂ ଷ୍ଟାରମାନଙ୍କ ଘର ବାହାରେ ଫଟୋ ଉଠାଇବା ବାହାନାରେ ସେମାନେ ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ। ଏଥିପାଇଁ ଅଟୋ-ରିକ୍ସା ସହ ଅଭିଯୁକ୍ତ ହ୍ରିତିକଙ୍କ ରାପିଡୋ ବାଇକରେ ମଧ୍ୟ ବ୍ୟବହାର କରାଯାଇଥିଲା।
ପୋଲିସ ସୂତ୍ର ଅନୁଯାୟୀ, ଏହି ସମୟରେ ଶୁଟରମାନେ ଅମିତାଭ ବଚ୍ଚନ, ଆମିର ଖାନ ଏବଂ ଅକ୍ଷୟ କୁମାରଙ୍କ ଘରକୁ ମଧ୍ୟ ଟାର୍ଗେଟ୍ କରିଥିଲେ। କେଉଁ ଷ୍ଟାରଙ୍କ ପାଖରେ ପହଞ୍ଚିବା ସହଜ ଏବଂ କେଉଁଠାରେ ସୁରକ୍ଷା ବ୍ୟବସ୍ଥା ତୁଳନାତ୍ମକ ଭାବେ କମ, ତାହା ଜାଣିବା ଏହାର ଉଦ୍ଦେଶ୍ୟ ଥିବା କୁହାଯାଉଛି।
ତେବେ ଏପର୍ଯ୍ୟନ୍ତ ତଦନ୍ତରୁ ଅମିତାଭ, ଆମିର କିମ୍ବା ଅକ୍ଷୟଙ୍କୁ ଆକ୍ରମଣ ପାଇଁ ଚୂଡ଼ାନ୍ତ ଟାର୍ଗେଟ ଭାବେ ଚୟନ କରାଯାଇଥିବା ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ଏହି ତିନି ଜଣଙ୍କ କ୍ଷେତ୍ରରେ ବର୍ତ୍ତମାନ କେବଳ ରେକି କରାଯାଇଥିବା ସୂଚନା ହିଁ ସାମ୍ନାକୁ ଆସିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।