ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ ପରେ ଧମକ! ସଲମାନଙ୍କ ସହ କାମ କଲେ….
ମୁମ୍ବାଇ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ମୁମ୍ବାଇରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିବା ଦାବି କରାଯାଇଛି । ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତଙ୍କ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଏଥିରେ ଟାଇଗରଙ୍କ ଉପରେ ଆକ୍ରମଣ କରାଇଥିବା ଦାବି କରାଯାଇଛି।
ପୋଷ୍ଟରେ ଅନିଲ ପଣ୍ଡିତ ଓ ଅରମାନ ସାନ୍ଧୁ ମିଳିତ ଭାବେ ଏହି ଆକ୍ରମଣ କରାଇଥିବା ଉଲ୍ଲେଖ ରହିଛି । ଏଥିସହ ସଲମାନ ଖାନ୍ଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ଟାର୍ଗେଟ୍ କରାଯିବ ବୋଲି ଧମକ ଦିଆଯାଇଥିବା ଦାବି ହୋଇଛି । ତେବେ ସୋସିଆଲ ମିଡିଆରେ ହୋଇଥିବା ଏହି ଦାବିର ସତ୍ୟତା ପୋଲିସ ପକ୍ଷରୁ ଯାଞ୍ଚ କରାଯିବା ଆବଶ୍ୟକ। ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଗୁଳିମାଡ଼ରେ ଟାଇଗର ଶ୍ରଫ୍ ସୁରକ୍ଷିତ ଅଛନ୍ତି । ତେବେ ତାଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ରିକ୍ସା ଚାଳକ ଗୁଳିମାଡ଼ରେ ଆହତ ହୋଇଥିବା ଖବର ମିଳିଛି।
ଅନିଲ ପଣ୍ଡିତଙ୍କ ନାମରେ ଥିବା ପୋଷ୍ଟରେ ଲେଖାଯାଇଛି ଯେ, ଟାଇଗର ଶ୍ରଫ୍ଙ୍କୁ ପୂର୍ବରୁ ଫୋନ୍ କରି ବୁଝାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ କଥା ନଶୁଣିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦାବି କରାଯାଇଛି। ଏହି ପୋଷ୍ଟରେ ଆହୁରି ଧମକ ଦିଆଯାଇଛି ଯେ, ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁମାନେ ଗ୍ୟାଙ୍ଗର କଥା ଶୁଣିବେ ନାହିଁ କିମ୍ବା ସଲମାନ ଖାନ୍ଙ୍କ ସହ କାମ କରିବେ, ସେମାନଙ୍କ ମଧ୍ୟରୁ ପରବର୍ତ୍ତୀ ଟାର୍ଗେଟ୍ କିଏ ହେବେ, ତାହା ଦେଖିବାକୁ ଅପେକ୍ଷା କରିବାକୁ ପଡ଼ିବ।
ପୋଷ୍ଟରେ ଅନ୍ୟ ଗ୍ୟାଙ୍ଗ୍ଗୁଡ଼ିକୁ ମଧ୍ୟ ଧମକ ଦିଆଯାଇଥିବା ଦାବି ହୋଇଛି। ଏହି ପୋଷ୍ଟକୁ ଆଧାର କରି ଘଟଣାରେ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଜୁହୁସ୍ଥିତ ଜେଭିପିଡି ଗ୍ରାଉଣ୍ଡ ନିକଟରେ ଏହି ଘଟଣା ଘଟିଥିଲା। ଟାଇଗର ଶ୍ରଫ୍ ଫୁଟ୍ବଲ୍ ଖେଳିବା ପରେ ପଡ଼ିଆରୁ ବାହାରୁଥିଲେ। ତାଙ୍କ ଗାଡ଼ି ବାହାରକୁ ଆସିବା ସମୟରେ ତାଙ୍କୁ ଦେଖିବା ପାଇଁ କିଛି ପ୍ରଶଂସକ ସେଠାରେ ଏକାଠି ହୋଇଥିଲେ।
ଏହି ସମୟରେ ଗୋଟିଏ ବାଇକ୍ରେ ତିନି ଜଣ ଆସି ୩ରୁ ୪ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିବା ଖବର ମିଳିଛି। ଏହି ଆକ୍ରମଣରେ ଟାଇଗର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି।
ଆହତ ଦୁଇ ଜଣଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।