ଉତ୍ସବମୁଖର ଛତ୍ରପୁର ସହର, ମା’ ରାମାୟଣାମ୍ମାଙ୍କ ପୀଠରେ ନୃତ୍ୟ ପରିବେଷଣ କଲେ କୁନି ନୃତ୍ୟଶିଳ୍ପୀ

Oct 18, 2026 - 22:09
ଉତ୍ସବମୁଖର ଛତ୍ରପୁର ସହର, ମା’ ରାମାୟଣାମ୍ମାଙ୍କ ପୀଠରେ ନୃତ୍ୟ ପରିବେଷଣ କଲେ କୁନି ନୃତ୍ୟଶିଳ୍ପୀ

ଛତ୍ରପୁର,୧୮।୧୦(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ସହରର ବିଭିନ୍ନ ମଣ୍ଡପ ଓ ମନ୍ଦିରରେ ମା’ ଦୂର୍ଗାଙ୍କ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି । ନବରାତ୍ରୀକୁ ନେଇ ବିଭିନ୍ନ ଶକ୍ତି ପୀଠ ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ସ୍ଥାନେସ୍ଥାନେ ଆଲୋକ ମାଳା ସହିତ ପୂଜା ମନ୍ତ୍ରର ଧ୍ୱନି ସାରା ପରିବେଶକୁ ପ୍ରକମ୍ପିତ କରିଛି । ଚନ୍ଦନ, ସିନ୍ଦୁର ଝୁଣା ଦୀପର ସୁଗନ୍ଧ ଅଞ୍ଚଳବାସୀଙ୍କୁ ବେଶ ଆକୃଷ୍ଟ କରିଛି। ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ରିକାପଲ୍ଲୀ ଭଣ୍ଡାରୀ ସାହି ସ୍ଥିତ ଡାଲଡାମିଲ ରୋଡ୍‌ ଠାରେ ଥିବା କଳ୍ପବାସିନୀ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ମା’ଙ୍କ ନବରାତ୍ରୀ ପୂଜା ବେଶ ଧୁମଧାମରେ ଚାଲିଥିବା ଦେଖିବାକୁ ମିଳିଛି।

ପୂଜା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସେହିପରି ସହରର ଆରାଧ୍ୟା ଦେବୀ ମା’ ରାମାୟଣାମ୍ମାଙ୍କ ପୀଠରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଅଛି । ଫୁଲମାଳ, ସିନ୍ଦୁର, ଅଳଙ୍କାର, ଧୂପଦୀପରେ ପରିବେଶ ଆଧ୍ୟାତ୍ମିକ ହୋଇଉଠିଛି । ଅନ୍ୟପଟେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ବିରସିଂହିଠାରେ ୩ ଦିନ ବ୍ୟାପୀ ଶାରଦୀୟ ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି । ରବିବାର ସନ୍ଧ୍ୟାରେ ମନ୍ଦିର ସମ୍ମୁଖରେ ଅନ୍ତର୍ଜାତୀୟ ନୃତ୍ୟଗୁରୁ ଅଳକା ସାହୁଙ୍କ ନିର୍ଦ୍ଦେଶନାରେ କୁନି ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ । କୁନି କଳାକାରଙ୍କ ନୃତ୍ୟରେ ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଥିଲା। ନୃତ୍ୟ ପରିବେଷଣକୁ ଉପସ୍ଥିତ ଭକ୍ତ ଓ ଦର୍ଶକମାନେ ଉପଭୋଗ କରିବା ସହ କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।