ଟି-୨୦ ରାଙ୍କିଂରେ ଚମକିଲେ ଶ୍ରେୟସ ଆୟର, ଟପ୍‌-୫ କିଏ କେଉଁ ସ୍ଥାନରେ ଦେଖନ୍ତୁ…

Oct 14, 2026 - 16:28
ଟି-୨୦ ରାଙ୍କିଂରେ ଚମକିଲେ ଶ୍ରେୟସ ଆୟର, ଟପ୍‌-୫ କିଏ କେଉଁ ସ୍ଥାନରେ ଦେଖନ୍ତୁ…

ନୂଆଦିଲ୍ଲୀ,୧୪।୧୦: ଟି-୨୦ ବ୍ୟାଟିଂ ରାଙ୍କିଂରେ ବଡ଼ ଲମ୍ଫ ମାରିଛନ୍ତି ଭାରତୀୟ ବ୍ୟାଟର ଶ୍ରେୟସ ଆୟର। ବୁଧବାର (ଅକ୍ଟୋବର ୧୪) ପ୍ରକାଶିତ ନୂଆ ରାଙ୍କିଂରେ ସେ ୩ଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଆୟରଙ୍କ ରେଟିଂ ୭୯୮ ରହିଛି। ଏହା ସହ ଟପ-୫ରେ ସ୍ଥାନ ପାଇଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସେ ତୃତୀୟ ଖେଳାଳି ହୋଇଛନ୍ତି।

ରାଙ୍କିଂରେ ଭାରତର ଈଶାନ କିଶନ ୯୦୪ ରେଟିଂ ସହ ପ୍ରଥମ ସ୍ଥାନରେ ଥିବାବେଳେ ଅଭିଷେକ ଶର୍ମା ୮୯୧ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ସାହିବଜାଦା ଫରହାନ ୮୮୩ ରେଟିଂ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଇଂଲଣ୍ଡର ହ୍ୟାରି ବ୍ରୁକ ୭୯୩ ରେଟିଂ ସହ ପଞ୍ଚମ ସ୍ଥାନକୁ ଖସିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ ବର୍ଷା ହେଉଛି। ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ସେ ଅପରାଜିତ ୧୦୨ ରନର ଶତକୀୟ ଇନିଂସ ଖେଳିଥିଲେ। ଏହା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ଥିଲା।

ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଆୟର ୪୦ ରନ କରିଥିବାବେଳେ ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚରେ ମାତ୍ର ୧ ରନ କରିପାରିଥିଲେ। ଆୟରଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଉପରେ ନଜର ପକାଇଲେ, ସେ ଏପର୍ଯ୍ୟନ୍ତ ୭୦ଟି ମ୍ୟାଚ ଖେଳିଛନ୍ତି। ୬୬ଟି ଇନିଂସରେ ସେ ୩୨.୪୭ ହାରରେ ଏବଂ ୧୪୧.୧୭ ଷ୍ଟ୍ରାଇକ ରେଟ୍ରେ ମୋଟ ୧୬୫୬ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ରହିଛି।

ଭାରତୀୟ ବାମହାତୀ ବ୍ୟାଟର ତିଳକ ବର୍ମା ମଧ୍ୟ ରାଙ୍କିଂରେ ଉନ୍ନତି କରିଛନ୍ତି। ସେ ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ୭୯୩ ରହିଛି। ଏହା ସହ ଟପ-୧୦ରେ ଭାରତର ଏକାଧିକ ବ୍ୟାଟର ସ୍ଥାନ ପାଇଛନ୍ତି।

ଟି-୨୦ ବୋଲିଂ ରାଙ୍କିଂରେ ଭାରତୀୟ ବୋଲରଙ୍କ ସ୍ଥିତି କିନ୍ତୁ ନିରାଶାଜନକ। ଆଫଗାନିସ୍ତାନର ରାଶିଦ ଖାନ ୭୨୦ ରେଟିଂ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଟପ-୫ରେ କୌଣସି ଭାରତୀୟ ବୋଲର ସ୍ଥାନ ପାଇନାହାନ୍ତି।

ଟପ-୧୦ରେ କେବଳ ଅକ୍ଷର ପଟେଲ ଭାରତୀୟ ବୋଲର ଭାବେ ରହିଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ୬୪୯ ରେଟିଂ ସହ ନବମ ସ୍ଥାନରେ ପହଞ୍ଚିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।