ଟ୍ରମ୍ପଙ୍କ ବଡ଼ ଘୋଷଣା: କୃଷକଙ୍କୁ ବାଣ୍ଟିବେ…

Oct 21, 2026 - 08:40
ଟ୍ରମ୍ପଙ୍କ ବଡ଼ ଘୋଷଣା: କୃଷକଙ୍କୁ ବାଣ୍ଟିବେ…

ଓ୍‌ବାଶିଂଟନ୍‌, ୨୧।୧୦: ଆମେରିକାରେ ଡିଜେଲ ଦର ବୃଦ୍ଧି କୃଷକଙ୍କ ଚିନ୍ତା ବଢ଼ାଇଛି। ଚାଷ କାମରେ ବ୍ୟବହୃତ ଯନ୍ତ୍ରପାତିଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ପ୍ରାୟ ସବୁ କାମରେ ଡିଜେଲର ଆବଶ୍ୟକତା ପଡ଼ିଥାଏ। ଏଭଳି ସ୍ଥିତିରେ କୃଷକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୮ ବିଲିୟନ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୭୧,୦୦୦ କୋଟି ଟଙ୍କା। ତେବେ ସରକାର କୃଷକଙ୍କୁ ସିଧାସଳଖ ଡିଜେଲ ଯୋଗାଇବା ପରିବର୍ତ୍ତେ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହାଦ୍ୱାରା ବଢ଼ୁଥିବା ଇନ୍ଧନ ଖର୍ଚ୍ଚର ବୋଝ କିଛି ମାତ୍ରାରେ କମ ହୋଇପାରିବ।

ଅକ୍ଟୋବର ୧୯ ତାରିଖରେ ଆମେରିକାର କାନସାସରେ ଏକ ନିର୍ବାଚନୀ ରାଲି ସମୟରେ ଟ୍ରମ୍ପ ଏହି ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ, ଆମେରିକାର କୃଷି ବିଭାଗ ପକ୍ଷରୁ ‘ହାର୍ଭେଷ୍ଟ ଫ୍ୟୁଏଲ ରିଲିଫ ପ୍ରୋଗ୍ରାମ’ ଆରମ୍ଭ କରାଯିବ। ଫସଲ ଅମଳ ଋତୁରେ ଡିଜେଲ ଦର ବୃଦ୍ଧି ଏବଂ ଚାଷର ଅନ୍ୟାନ୍ୟ ଖର୍ଚ୍ଚରୁ କୃଷକଙ୍କୁ ଆଶ୍ୱସ୍ତି ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଆମେରିକାର କୃଷି ବିଭାଗ ଅନୁଯାୟୀ, ଏହି ଯୋଜନାରେ କୃଷକଙ୍କୁ ଥରେ ଆର୍ଥିକ ସହାୟତା ଦିଆଯିବ। ଏଥିପାଇଁ ମୋଟ ୮ ବିଲିୟନ ଡଲାରର ପାଣ୍ଠି ରଖାଯିବ। ୨୦୨୬ ଫସଲ ଋତୁରେ ହୋଇଥିବା ଆନୁମାନିକ କ୍ଷତି ଏବଂ ଚାଷ ଖର୍ଚ୍ଚକୁ ଆଧାର କରି କୃଷକମାନେ କେତେ ଟଙ୍କା ସହାୟତା ପାଇବେ, ତାହା ସ୍ଥିର କରାଯିବ।

ଆମେରିକାର କୃଷି ବିଭାଗ ଅଧୀନରେ ଥିବା ଫାର୍ମ ସର୍ଭିସ ଏଜେନ୍ସି (FSA) ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବ। ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରମୁଖ ଫସଲ ପାଇଁ ସହାୟତା ରାଶିର ହାର ନଭେମ୍ବର ମାସରେ ଘୋଷଣା କରାଯିବ। ଅନ୍ୟ ଯୋଗ୍ୟ ଫସଲ ପାଇଁ ସହାୟତା ପ୍ରଦାନର ପଦ୍ଧତି ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।