ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

Oct 29, 2026 - 15:01
ଡିଡ୍ରବାଡ଼ିରେ ଭୂସ୍ଖଳନ: ବାଡ଼ାବାଙ୍ଗା-ଡିଡ୍ରବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତର ୧୫ ନଂ ଓ୍ବାର୍ଡ ଡିଡ୍ରବାଡ଼ି ଗାଁ ନିକଟ ପାହାଡ଼ ଭୂସ୍ଖଳନ ଯୋଗୁ୍‌ ଏବେ ଉକ୍ତ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।

ପ୍ରକାଶ ଯେ, ଉକ୍ତ ପଞ୍ଚାୟତଠାରୁ ଡିଡ୍ରବାଡ଼ି ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ରହିଛି ତେବେ ଦୁର୍ଗମ ଓ ଘଞ୍ଚ ଜଙ୍ଗଲ, ପାହାଡ଼ ଦେଇ ଉକ୍ତ ଗ୍ରାମକୁ ଯାତାୟାତ କରାଯାଉଥିବା ବେଳେ ଏବେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ରୁ ପାଣି ଆସି ମାଟି ଓ ପଥର ଅତଡ଼ା ଖସି ରାସ୍ତାରେ ପଡ଼ିଛି। ପିଚୁ ରାସ୍ତା ଏବେ କାଦୁଅ ମାଟି ଯୋଗୁ ଚାଷଜମି ଭଳି ଭ୍ରମ ସୃଷ୍ଟି କରୁଛି। ଏବେ ଉକ୍ତ ଗ୍ରାମକୁ ଜରୁରୀ ସେବା ମିଳୁ ନ ଥିବା ବେଳେ ଆମ୍ବୁଲାନ୍ସ କିମ୍ବା ଯାତ୍ରୀବାହୀ ଅଟୋ ବାଇକ୍‌ ଆଦି ଯାତାୟାତ ବନ୍ଦ ରହିଛି। ଉକ୍ତ ପଞ୍ଚାୟତର ନାଏବ ସରପଞ୍ଚ ଦେବକୀ ବିନ୍ଧାଣି ଡିଡ୍ରବାଡ଼ିର ବାସିନ୍ଦା ହୋଇଥିବାରୁ ସେ ଓ ତାଙ୍କ ଗ୍ରାମବାସୀ ଏହାକୁ ଶୀଘ୍ର ମରାମତି କରି ଗାଡ଼ି ମୋଟର ଯାତାୟାତ ସ୍ବାଭାବିକ କରିବାକୁ ଦାବି ଜଣାଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।