ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

Sep 30, 2026 - 16:25
ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌ ବୁଲୁ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟ କରୁଥିଲେ। ୬ ବର୍ଷ ତଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଟ୍ରାକ୍ଟରରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ବୁଲୁ। ସ୍ବାମୀଙ୍କ ଅକାଳ ମୃତ୍ୟୁ ଏବଂ ଶାଶୁ ଘର ଲୋକେ ଘରୁ ବାହାର କରିଦେବା ପରେ ରୀନା ବେସାହାରା ହୋଇ ପଡ଼ିଥିଲେ। ସେହିଦିନଠାରୁ ଖଣ୍ଡଦେଉଳୀ ପଞ୍ଚାୟତ ନିକଟସ୍ଥ ପୋଇରାଶି ପଞ୍ଚାୟତ ପାହାଡ଼ ପାର୍ଶ୍ୱରେ ତାଳପତ୍ରରେ ଏକ ଛୋଟିଆ କୁଡ଼ିଆ କରି ଦୁଇ ଝିଅ ପୁଅକୁ ଧରି ଦିନ କାଟୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ଘଟିବାର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଧବା ଭତ୍ତା ମିଳି ପାରିନି। ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ଏବଂ ରାଶନକାର୍ଡ ଟିଏ ମଧ୍ୟ ନାହିଁ l ପୁଅକୁ ୮ ବର୍ଷ ଓ ଝିଅକୁ ୫ ବର୍ଷ। ଅଭାବ ଅନଟନ ଯୋଗୁ ପୁଅକୁ ପାଠ ପଢ଼ାଇବାକୁ ମଧ୍ୟ ଅସମର୍ଥ। ରୀନାଙ୍କର ଆଧାର କାର୍ଡ ଥିଲେ ମଧ୍ୟ ପିଲାଙ୍କ ଆଧାର କାର୍ଡ ନ ଥିବାରୁ ସ୍କୁଲ ଯାଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ ରୀନା ରହୁଥିବା ଖବର ପାଇ ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ତଥା ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ଅସହାୟ ରୀନାଙ୍କୁ ସହଯୋଗର ହାତ ବାଇଛନ୍ତି। ବୁଧବାର ଅପୂର୍ବା ଫାଉଣ୍ଡେଶନ ମୁଖ୍ୟ ଉପଦେଷ୍ଟା ତଥା ଯୁବ ବିଜେଡି ସଭାପତି ପାଢ଼ୀ ରୀନା ରହୁଥିବା ଅଞ୍ଚଳ ଯାଇ ଆର୍ଥିକ ସହାୟତା ସହ କିଛି ରାଶନ ସାମଗ୍ରୀ ପ୍ରଦାନ କରିଥିବା ଜଣା ପଡିଛି। ଏଥିସହ ରୀନାଙ୍କ ଅସହାୟ ବିଷୟରେ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କଦୃଷ୍ଟି ଆକର୍ଷଣ କରିଛନ୍ତି। ସହାୟତା ବେଳେ ଅପୂର୍ବା ଫାଉଣ୍ଡେଶନ ସଭାପତି ପ୍ରଭାତ କୁମାର ସାହୁ, ସାମାଜିକ କର୍ମୀ ଉମା ଶଙ୍କର ମାହାନ୍ତି, ବିଜେଡି ଯୁବ ନେତା ମନୋଜ ପ୍ରଧାନ, ଗୋବିନ୍ଦ ଗୌଡ଼, ବିଭୂତି ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।