ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

Sep 30, 2026 - 17:29
ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ ମୈସୁରରେ ଚାଲିଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଶୁଟିଂ ସେଟ୍‌ ନିକଟରେ ଏକାଠି ହୋଇଥିଲେ। ତେବେ ଫ୍ୟାନ୍‌ଙ୍କୁ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା ରଜନୀକାନ୍ତଙ୍କ ସେଟ୍‌ରେ ପହଞ୍ଚିବା ଅନ୍ଦାଜ । କୌଣସି ଦାମୀ କାର୍‌ରେ ନୁହେଁ, ବରଂ ସେ ଅଟୋ ରିକ୍ସାରେ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ । ତାଙ୍କ ଅଟୋ ନିକଟରେ ସୁରକ୍ଷାକର୍ମୀ ଥିବାରୁ ଫ୍ୟାନ୍‌ମାନେ ରଜନୀକାନ୍ତ ଆସିଥିବା ଜାଣିପାରିଥିଲେ।

ଅଟୋରୁ ଓହ୍ଲାଇବା ମାତ୍ରେ ଫ୍ୟାନ୍‌ମାନେ ଜୋରଦାର ନାରା ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ରଜନୀକାନ୍ତ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିନଥିଲେ। ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ଫ୍ୟାନ୍‌ମାନେ ମୋବାଇଲ୍‌ରେ ତାଙ୍କ ଭିଡିଓ ରେକର୍ଡ କରିଥିଲେ । ପରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି। ଶୁଟିଂ ସେଟ୍‌ର ଗେଟ୍‌ ନିକଟରେ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀମାନେ ମଧ୍ୟ ନିୟୋଜିତ ଥିଲେ। ଫ୍ୟାନ୍‌ମାନଙ୍କ ଉତ୍ସାହ ବଢ଼ିବା ପରେ ରଜନୀକାନ୍ତ ନିଜେ ବାହାରକୁ ଆସି ସେମାନଙ୍କୁ ଭେଟିଥିଲେ।

ରଜନୀକାନ୍ତଙ୍କ ଏହି ଆଗାମୀ ଫିଲ୍ମର ନିର୍ଦ୍ଦେଶନା ଅଶ୍ୱଥ ମାରିମୁଥୁ କରୁଛନ୍ତି । ରଜନୀକାନ୍ତଙ୍କ ସହ ସିମରନ୍‌, ରାଶି ଖନ୍ନା ଓ ଯୋଗୀ ବାବୁଙ୍କ ନାମ ଫିଲ୍ମ ସହ ଯୋଡ଼ାଯାଇଛି। ଏହାସହ ମୈସୁର ଶୁଟିଂରୁ ସାମ୍ନାକୁ ଆସିଥିବା କିଛି ଭିଡିଓ ଓ ଫଟୋକୁ ନେଇ ଶ୍ରୀଲୀଳା ଏବଂ ରାମ ପୋଥିନେନିଙ୍କ କାଷ୍ଟିଂକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଫିଲ୍ମ ଟିମ୍‌ ପକ୍ଷରୁ ଏହି ଦୁଇ ଅଭିନେତାଙ୍କ କାଷ୍ଟିଂ ନେଇ ଅଧିକାରିକ ଘୋଷଣା ହୋଇନାହିଁ ।

ଫିଲ୍ମର ପ୍ରଥମ ଲୁକ୍‌ରେ ରଜନୀକାନ୍ତଙ୍କୁ ଡାକ୍ତର ଭୂମିକାରେ ଦେଖାଯାଇଥିଲା। ପୋଷ୍ଟରରେ ସେ ଅପରେସନ୍‌ ଥିଏଟରରେ ଡାକ୍ତରଙ୍କ ପୋଷାକରେ ଥିବା ବେଳେ ହାତରେ ରକ୍ତ ଲାଗିଥିବା ଏକ ଉପକରଣ ଦେଖାଯାଇଥିଲା। ଏହା ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।