ତ୍ରିଶକ୍ତି ଚିନ୍ତାରେ ଆମେରିକା

Oct 18, 2026 - 08:37
ତ୍ରିଶକ୍ତି ଚିନ୍ତାରେ ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଭାରତ, ରୁଷିଆ, ଚାଇନା ଡର। ବିଶ୍ବରେ ଏହି ତିନି ଶକ୍ତିର ପ୍ରଭାବ ବୃଦ୍ଧି ଦେଖି ଆମେରିକା ଛାନିଆ। ଆମେରିକା ଡଲାରକୁ ପ୍ରତିହତ କରିବାକୁ ଏହି ୩ ରାଷ୍ଟ୍ର ଆଞ୍ଚଳିକ ମୁଦ୍ରାରେ କାରବାର କରିବାକୁ ରଣନୀତି କରୁଛନ୍ତି। ଆମେରିକାକୁ ବାଦ୍‌ ଦେଇ ଏମାନେ ତୈଳ, ଶକ୍ତି ଓ ପ୍ରଯୁକ୍ତି ବିଦ୍ୟାର ସହଯୋଗ ଓ କାରବାର ପାଇଁ ବିକଳ୍ପ ବାଣିଜ୍ୟ ସହମତିରେ ପହଞ୍ଚିଛନ୍ତି। ବିଶ୍ବର ସବୁଠୁ ବଡ଼ ଉପଭୋକ୍ତା ବଜାର ମଧ୍ୟ ଏହି ତିନି ଦେଶ ପାଖରେ ରହିଛି। ତେଣୁ ଆର୍ଥିକ, ଶକ୍ତି ଓ କୂଟନୈତିକ ଦୃଷ୍ଟି କୋଣରୁ ଆମେରିକା ପାଇଁ ଏହି ତ୍ରିଶକ୍ତି ବଡ଼ ଆହ୍ବାନ ଭାବେ ଉଭା ହୋଇଛନ୍ତି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା, ଇରାନ ସହ ଯୁଦ୍ଧକୁ ମଧ୍ୟ ରୁଷିଆ, ଚାଇନା ଓ ଭାରତ ନିନ୍ଦା କରିଛନ୍ତି। କାରଣ ଆମେରିକାର ତୈଳ ସମୃଦ୍ଧ ମଧ୍ୟପ୍ରାଚ୍ୟକୁ ଏକ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ୨୦୨୬ ସେପ୍ଟେମ୍ବରରେ ନୂଆଦିଲ୍ଲୀ ବ୍ରିକ୍ସ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ମଧ୍ୟରେ ଘନିଷ୍ଠତା ଓ ବିଶ୍ବ ସୁରକ୍ଷା ପ୍ରସଙ୍ଗରେ ସକାରାତ୍ମକ ମେଳି ଆମେରିକା ପାଇଁ ଅସହ୍ୟ ହୋଇଛି। ବିଶେଷ କରି ଏସିଆ ମହାଦେଶରେ ଚାଇନା ପରି ଭାରତକୁ ଆଉ ଏକ ସୁପରପାୱାର ଭାବେ ଦେଖିବାକୁ ଚାହୁଁନି ଆମେରିକା। ଏହାସହ ଭାରତର କୂଟନୀତି, ଆଫ୍ରିକାଠାରୁ ଆରମ୍ଭ କରି ୟୁରୋପ ଏବଂ ମଧ୍ୟ-ଏସିଆ ଯାଏ ବିଶ୍ବର ଛୋଟବଡ଼ ଦେଶ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କରେ ସୁଦୃଢ଼ ଆମେରିକାକୁ ହଜମ ହେଉନି। ତେଣୁ ୧୯୯୮ରେ ପୋଖରାନରେ ପରମାଣୁ ପରୀକ୍ଷଣ ପରେ ଭାରତ ଉପରେ ଆମେରିକା ଯେଉଁ ବଡ଼ ପ୍ରତିବନ୍ଧକ ଲଗାଇଥିଲା ପୁଣି ୨୦୨୬ରେ ଏହାର ପୁନରାବୃତ୍ତି କରିବାକୁ କରୁଛି ଯୋଜନା।
ଆମେରିକାର ବାରମ୍ବାର ତାଗିଦ ସତ୍ତ୍ୱେ ରୁଷିଆରୁ ତୈଳ ଓ ଗ୍ୟାସ ଆମଦାନୀ କରୁଛି ଭାରତ। ଚାଇନା ମଧ୍ୟ ଆମେରିକା କଟକଣାକୁ ଖାତିର କରୁନି। ଆମେରିକା ଜାଣିଶୁଣି ରୁଷିଆଠାରୁ ତୈଳ କିଣୁଥିବା ଦେଶମାନଙ୍କ ଉପରେ ଅତ୍ୟଧିକ କର ଲଗାଇ ସେମାନଙ୍କ ବିକାଶରେ ବାଧା ଦେବାକୁ ଚାହୁଁଛି। ୧୯୮୦ରେ ଚାଇନା ଅର୍ଥବ୍ୟବସ୍ଥା ୧୯୧ କୋଟି ଡଲାର ଥିବାବେଳେ ୨୦୨୫ରେ ଏହା ୧୯.୫ଟ୍ରିନିୟନ୍‌ ଡଲାରରେ ପହଞ୍ଚିଛି। ଏହି ତୁଳନାରେ ଆମେରିକା ଜିଡିପି ୩୦.୮ ଟ୍ରିଲିୟନ ଡଲାରରେ ସୀମିତ ରହିଛି। ଚାଇନା ଉଭୟ ଆର୍ଥିକ ଓ ସୈନ୍ୟ ଶକ୍ତିରେ ଆମେରିକା ପାଇଁ ବଡ଼ ଚ୍ୟାଲେଞ୍ଚ ସୃଷ୍ଟି କରିଛି। ତେଣୁ ଚାଇନା ଭଳି ଭାରତ ଏସିଆରେ ବିକାଶ ଦିଗରେ ବଢୁଥିବାବେଳେ ଭାରତ ଯେପରି ସୁଦୃଢ଼ ଅର୍ଥନୀତିରେ ପରିଣତ ନ ହେଉ ସେଥିପାଇଁ ଆମେରିକା ରୀତିମତ ଏଥିରେ ବାଧା ସୃଷ୍ଟି ପାଇଁ କରୁଛି ଯୋଜନା। ଭାରତ କିନ୍ତୁ ତା’ର ୧୪୦କୋଟି ଲୋକଙ୍କ ସୁରକ୍ଷା ସୁବିଧା ପାଇଁ ରୁଷିଆରୁ ୫୨ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ଜାରି ରଖିଛି। ଫ୍ରାନ୍ସରୁ ଲଢୁଆ ବିମାନ କ୍ରୟ କରୁଛି। ଚାଇନାରୁ ଇଲେକ୍ଟ୍ରୋନିକ ସାମଗ୍ରୀ ଆମଦାନୀ କରୁଛି। ନିକଟରେ ସରକାର ତୈଳ ସମୃଦ୍ଧ ଆରବ ଦେଶ ଗସ୍ତ କରି ଓପେକ୍‌ ଓ ଆରବ ସଂଘ ସହ ସୁ-ସମ୍ପର୍କ ଓ ବାଣିଜ୍ୟ କାରବାର ମଜଭୁତ କରିଛନ୍ତି।
ବିଶ୍ବରେ ଭୂ-ରାଜନୈତିକ ସ୍ଥିତି ବଦଳୁଥିବାରୁ ଆମେରିକାର ଗୁରୁତ୍ୱ ଯଥେଷ୍ଟ ହ୍ରାସ ଘଟିଛି। ଭାରତର ଆମେରିକା ଉପରେ ନିର୍ଭରଶୀଳତା ମଧ୍ୟ ଜଥେଷ୍ଟ କମିଛି । ଗତ ଦୁଇ ମାସ ମଧ୍ୟରେ ରୁଷିଆ, ଚାଇନା ଓ ଭାରତର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୨ଥର ସାକ୍ଷାତ ଆଲୋଚନା ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଛି। ଅଗଷ୍ଟ ଶେଷ ସପ୍ତାହରେ କିରଗିଜସ୍ତାନ ରାଜଧାନୀ ବିଶକେକ୍‌ ସାଂଘାଇ ସହଯୋଗ ସଂଗଠନରେ ଏକାଠି ହୋଇଥିଲେ ମୋଦି- ପୁଟିନ୍‌ ଓ ଜିନ ପିଙ୍ଗ। ଚଳିତ ନୂଆଦିଲ୍ଲୀ ବ୍ରିକ୍ସ ବୈଠକରେ ଯୋଗ ଦେବାକୁ ଦୀର୍ଘ ୭ବର୍ଷ ବ୍ୟବଧାନରେ ଭାରତ ଗସ୍ତ କରିଥିଲେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଚାଇନା ଭାରତ ମଧ୍ୟରେ ପୁଣି ଉତ୍ତମ ସମ୍ପର୍କ, ସମ୍ପର୍କକୁ ସମ୍ମାନ, ସମ୍ବେଦନଶୀଳତା ଏବଂ ପାରସ୍ପରିକ ସ୍ବାର୍ଥ ଉପରେ ଗୁରୁତ୍ୱ ଦେବାକୁ ମୋଦି ଓ ଜିନପିଙ୍ଗ ସ୍ବୀକାର କରିଛନ୍ତି। ଚାଇନାର ସରକାରୀ ଖବରକାଗଜ, ଗ୍ଲୋବାଲ ଟାଇମ୍ସ, ନୂଆଦିଲ୍ଲୀ ବ୍ରିକ୍ସ ଶିଖର ବୈଠକରୁ କେବଳ ଚାଇନା କିମ୍ବା ଭାରତର ସ୍ବାର୍ଥ ପ୍ଲାଟଫର୍ମ ନୁହେଁ ବରଂ ଗ୍ଲୋବାଲ ସାଉଥ୍‌ର ଗୁରୁତ୍ୱ ଦୃଷ୍ଟିରୁ ଏକ ବଡ଼ ସୁଯୋଗ ବୋଲି ଉପସ୍ଥାପନ କରିଥିଲା। ଭାରତ ଡିଜିଟାଲ୍‌ ଭିତ୍ତିଭୂମି ଏବଂ ସେବା କ୍ଷେତ୍ରରେ ଶକ୍ତିଶାଳୀ ଥିବାବେଳେ ଚାଇନା ଟେକ୍ନୋଲୋଜି, ଉତ୍ପାଦ, ଭିତ୍ତିଭୂମି ଏବଂ ଯୋଗାଣ ଶୃଙ୍ଖଳାରେ ଆଗରେ ରହିଛି। ତେଣୁ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ମଜଭୁତ କରିପାରିବା ଉଭୟ ରାଷ୍ଟ୍ରନେତା ସହମତ ହୋଇଛନ୍ତି। ନୂଆଦିଲ୍ଲୀରେ ଉପସ୍ଥିତ ରହି ପାଶ୍ଚାତ୍ୟ ଦେଶକୁ ମଧ୍ୟ ସମାଲୋଚନା କରିବାକୁ ଭୁଲି ନ ଥିଲେ ଜିନପିଙ୍ଗ। ସେହିପରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନୂଆଦିଲ୍ଲୀ ବ୍ରିକ୍ସ ବୈଠକରେ ଉପସ୍ଥିତ ହେବା ଭାରତ ରୁଷିଆ ମଧ୍ୟରେ ବିଶ୍ବାସ ଓ ମର୍ଯ୍ୟାଦାକୁ ଦ୍ବିଗୁଣିତ କରିଛି। ବାଣିଜ୍ୟ, ଶିଳ୍ପ ସହଯୋଗ, ବେସାମରିକ ପରମାଣୁ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରକୁ ନେଇ ମୋଦି ଓ ପୁଟିନ ବିସ୍ତୁତ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ୨୦୩୦ ସୁଦ୍ଧା ଦ୍ବିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି। ତେବେ ତ୍ରିଶକ୍ତିଙ୍କ ମିଳିତ ରଣନୀତି ଆମେରିକା ପାଇଁ ଚ୍ୟାଲେଞ୍ଜ ହୋଇଛି। ବ୍ରିକ୍ସ ସମ୍ମିଳନୀ ପରେ ଚାଇନା ରାଷ୍ଟ୍ରପତି ଆମେରିକା ଯିବା ଏବଂ ରୁଷିଆଠାରୁ ଆମେରିକା ଡିଜେଲ କ୍ରୟ କରିବାକୁ ଚାହିଁବା ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଟ୍ରମ୍ପ ଏସିଆର ଏହି ତିନିଶକ୍ତି ଉପରେ ବେଶ ମୁଣ୍ଡ ଖେଳାଉଛନ୍ତି।

ଲଳିତେନ୍ଦୁ ପଲାଉରୀ
ମୋ: ୯୭୭୮୬୯୭୦୩୬


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।