ଦକ୍ଷତା

Sep 25, 2026 - 08:15
ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା ସମୟରେ ସେ ମଝିରେ ମଝିରେ ନାଉରିଆକୁ ବେଦଶାସ୍ତ୍ର ବିଷୟରେ ପ୍ରଶ୍ନ ପଚାରୁଥିଲେ। କହିଲ ଆଚ୍ଛା ନାଉରିଆ ଭାଇ ତୁମେ ବେଦର ଅମୁକ ଭାଗରେ କ’ଣ ଅଛି କହିଲ। ପୁଣି ପଚାରିଲେ ଆଚ୍ଛା ତୁମେ ଗୀତା ପଢ଼ିଛ। ଗୀତାରେ ୫ମ ଅଧ୍ୟାୟରେ କେଉଁ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି କହିଲ। ବିଚରା ନାଉରିଆ କୌଣସି ଉତ୍ତର ଦେଇ ନ ପାରି କହିଲା ପଣ୍ଡିତ ମହାଶୟ, ମୁଁ ତ ମୂରୁଖ ଲୋକ ମୋତେ କିଛି ବେଦ ଶାସ୍ତ୍ର ପୁରାଣ ଜଣାନାହିଁ। ନୌକା ବାହି ଦି’ ପଇସା ରୋଜଗାର କଲେ ଘର ଚଳିବ। ଏହା ଶୁଣି ପଣ୍ଡିତ କହିଲେ ନାଉରିଆ ଭାଇ ତୁମ ଜୀବନଟା ପୂରା ବ୍ୟର୍ଥ ହୋଇଗଲା ବୋଲି ଜାଣ। ଧିକ ମଣିଷ ଜୀବନ ତୁମର। ନାଉରିଆକୁ ଟିକିଏ ଅପମାନବୋଧ ହେଲା। ଏହି ସମୟରେ ଖୁବ୍‌ ଜୋରରେ କଳା ହାଣ୍ଡିଆ ମେଘ ସହ ଝଡ଼ ତୋଫାନ ମାଡ଼ି ଆସିଲା। ନାଉରିଆ କହିଲା ପଣ୍ଡିତେ କାତ ଆଉ ପାଉନି। ପବନର ପ୍ରତିକୂଳ ପରିସ୍ଥିତି ଯୋଗୁ ମୁଁ ଆଉ ନାଆବାହିପାରୁନି। ଆପଣଙ୍କୁ ପହଁରା ଜଣା ଅଛି ତ? ଟିକିଏ ପୁର୍ବରୁ ବାହୁସ୍ଫୋଟ ମାରୁଥିବା ପଣ୍ଡିତ ଭୟରେ ବିକଳ ହୋଇ ଆର୍ତ୍ତ ଚିତ୍କାର କରି କହିଲେ ଭାଇ ମୋତେ ପହଁରା ଜଣାନାହିଁ। ନାଉରିଆ ଭାଇ ଦୟାକରି ମୋତେ ବଞ୍ଚାଇ ଦିଅ ଏହିଭଳି ନେହୁରା ହେଲା। ଶେଷରେ ନାଉରିଆର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲେ ପଣ୍ଡିତେ। ପାଠକ ବନ୍ଧୁ! ଏହା କେବଳ ଗୋଟିଏ କାହାଣୀ ନ ଥିଲା। ଏହାହିଁ ଆମ ଜୀବନର ସବୁଠାରୁ ବଡ଼ ଉପଲବ୍ଧି। ଏହି କାହାଣୀ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଆମେ ବେଳେ ବେଳେ ଗୋଟିଏ ବିଦ୍ୟାରେ ନିପୁଣ ଥାଇ ମନରେ ଅହଂକାର ଆଣି ଅନ୍ୟକୁ ନୀଚ ଦେଖିଥାଉ। ବିଚରା ବ୍ୟବହାରିକ ଜ୍ଞାନ ନ ଥିବାରୁ ପଣ୍ଡିତ ମରୁ ମରୁ ବଞ୍ଚିଗଲେ ସିନା।
ପ୍ରକୃତରେ ଜ୍ଞାନର ପରିସୀମା ବ୍ୟାପକ। କେବଳ ଗୋଟିଏ ବିଦ୍ୟାରେ ନିପୂଣ ହେଲେ ଆମେ କଦାପି ନିଜକୁ ପଣ୍ଡିତ ବୋଲି ଭାବିବା ଉଚିତ୍‌ ନୁହେଁ। ଆମେ ଗୋଟିଏ ସଫଳ ଜୀବନ ବଞ୍ଚତ୍ବାକୁ ହେଲେ ଜୀବନ ଦକ୍ଷତା ଶିକ୍ଷା ଆବଶ୍ୟକ। ଜୀବନର ଦକ୍ଷତାକୁ କେବଳ ବିଦ୍ୟା ଅଧ୍ୟୟନ କିମ୍ବା ଶାସ୍ତ୍ର ପୁରାଣରେ ବିଶାରଦ ହେବାରେ ଆମେ କଦାପି ମାପିବା ଉଚିତ୍‌ ନୁହେଁ। ଦକ୍ଷତା ଏଭଳି ଏକ ସାମର୍ଥ୍ୟ ଯାହା ଆମେ କେବଳ ବିଦ୍ୟାଳୟ ମହାବିଦ୍ୟାଳୟ ଓ କର୍ମାନୁଭୂତିରୁ ପାଇ ନ ଥାଉ। ଏହା ଆମେ ପୁସ୍ତକ ଅଧ୍ୟୟନ, ଗୁରୁଜନ, ସାଙ୍ଗସାଥୀ ଓ ଅନୁଭୂତିରୁ ପାଇଥାଉ। ଯେମିତିକି ଭାଷାଗତ ଦକ୍ଷତା ଦ୍ବାରା ଜଣେ ନିଜର ସୁନ୍ଦର ବ୍ୟବହାର ଦ୍ୱାରା ଅନେକ ଅଜଣା ବ୍ୟକ୍ତିଙ୍କ ସହ ସୁନ୍ଦର ସମ୍ପର୍କ ରଖିପାରିବ। ସେହିପରି ବ୍ୟାଙ୍କରେ ଟଙ୍କା ରଖିବା, ଟଙ୍କା ଉଠାଇବା, ଅନ୍‌ଲାଇନରେ ରେଳ ଟିକେଟ କରିବା, ଗୋଟିଏ ପାଣି ପାଇପକୁ ସଜାଡିବା, ଗୋଟିଏ ଫ୍ୟୁଜ ବଲ୍‌ବକୁ ଜଳାଇବା, ଅକସ୍ମାତ୍‌ କରେଣ୍ଟ ନ ଥିଲେ ତାକୁ ସଜାଡ଼ିବା ଏ ସବୁ ପ୍ରକାର କାର୍ଯ୍ୟ ହେଉଛି ଏକ ପ୍ରକାର ଦକ୍ଷତା, ଯାହା ଆମର ଦୈନନ୍ଦିନ ଜୀବନରେ ଆବଶ୍ୟକ। ଆମ ଜୀବନରେ ଆମେ ଆତ୍ମନିର୍ଭର ହେବା ପାଇଁ ମଧ୍ୟ କିଛି ବୃତ୍ତିଗତ ଦକ୍ଷାତାକୁ ଆପଣେଇଥାଉ। ସୁନ୍ଦର ଜୀବନଟିଏ ବଞ୍ଚତ୍ବାକୁ ହେଲେ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ଦକ୍ଷତାର ଆବଶ୍ୟକ ହୁଏ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ ଦକ୍ଷତା ହେଉଛି ସକାରାତ୍ମକ ବ୍ୟବହାର, ଯାହା ବ୍ୟକ୍ତିଙ୍କୁ ଦୈନନ୍ଦିନ ଜୀବନର ଆହ୍ବାନ ଓ ଦାବିକୁ ସଫଳ ଭାବରେ କାର୍ଯ୍ୟ କରିବାକୁ ସାମାର୍ଥ୍ୟ ଯୋଗାଇଥାଏ। ଏହି ଜୀବନ ଦକ୍ଷତାର କୌଶଳ ଆମେ ସମସ୍ତେ ଶିକ୍ଷାଲାଭ କରି ନିଜକୁ ଶକ୍ତିଶାଳୀ କରି ନିଜ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଏହି ଦକ୍ଷତା ଦ୍ବାରା ଆମେ ପ୍ରତି ମୁହୂର୍ତ୍ତରେ ବଦଳୁଥିବା ସମାଜ ସହିତ ସହଜରେ ଅଗ୍ରସର ହୋଇପାରିବା। ଦୈନନ୍ଦିନ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ସମାଧାନ କରି ସ୍ଥାନ, କାଳ ପାତ୍ରକୁ ନେଇ ବିପଦକୁ ଏଡାଇ ଦେଇ ଉପଯୁକ୍ତ ଭାବେ ନିଜର କୌଶଳ ଦ୍ବାରା କlର୍ଯ୍ୟ କରିପାରିବା। ଏହା ପୁଣି ଆମ ଜୀବନରୁ କାମ, କ୍ରୋଧ, ଲୋଭ, ମୋହକୁ ଦୂରେଇ ଦେଇ, ଆମ ଭିତରେ ଆତ୍ମବିଶ୍ବାସ ଉଦ୍ରେକ କରି, ମାନସିକ ଚାପରୁ ମୁକ୍ତି ଦେଇ ଜୀବନରେ ଶୃଙ୍ଖଳା ଆଣେ। ଆମ ଜୀବନରେ ଯେଉଁ ବିପଦପୂର୍ଣ୍ଣ ଓ ଆହ୍ବାନାତ୍ମକ ପରିସ୍ଥିତି ଆସେ ଆମେ ଦକ୍ଷତା ଶିକ୍ଷା ଦ୍ୱାରା ତାହାର ସମାଧାନ କରିପାରିବା। ଶେଷରେ ଏତିକି କୁହାଯାଇ ପାରେ ଏହି ଜୀବନ ଦକ୍ଷତା ଆମ କାର୍ଯ୍ୟକଳାପରେ ସ୍ବାଧୀନତା ଆଣି ଆମକୁ ଆତ୍ମବିଶ୍ବାସୀ, ନିଷ୍କପଟ, ସ୍ପଷ୍ଟବାଦୀ କରି ସକାରାତ୍ମକ ମାର୍ଗରେ ସମସ୍ୟାଗୁଡିକୁ କିପରି କରାୟତ୍ତ କରାଯାଇ ପାରିବ, ସେ ସମ୍ପର୍କରେ ନିଶ୍ଚୟ ସଚେତନ କରିବ।

ମୀରା ବେଉରା
ଦେଉଳସାହି, ତୁଳସୀପୁର,କଟକ
ମୋ: ୭୮୪୬୯୨୧୪୦୦


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।