ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ୨ ପଟୁ ସିଲ୍‌

Oct 27, 2026 - 15:04
ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ୨ ପଟୁ ସିଲ୍‌

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ କରାଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା ମିଳିତ ଭାବେ ଗଞ୍ଜାମ-କନ୍ଧମାଳ ସିମା ବାଇମାଲା ଚେକ ଗେଟଠାରେ ସିଲ କରି ପୋଲିସବାହିନୀ ଜଗି ରହିଛନ୍ତି ଦାରିଙ୍ଗବାଡି ପଟରୁ ଗଞ୍ଜାମ ଭଂଜନଗର, ସୋରଡ଼ା, ବ୍ରହ୍ମପୁର କୁ ଯାଉଥିବା ସମସ୍ତ ଗାଡି ମୋଟରକୁ ଗଞ୍ଜାମ ଅଭିମୁଖେ ଯିବାକୁ ଦିଆଯାଉନାହିଁ। ଫଳରେ ଏବେ କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଲାଇଫଲାଇନ କୁହାଯାଉଥିବା ଉକ୍ତ ରାଜପଥ ଏବେ ଲୋକଙ୍କ ପାଇଁ ବନ୍ଦ ରହିଛି। ଗାଜଲବାଡି ଅଣଓସାରିଆ ଘାଟିରେ ବାରମ୍ବାର ଭୂସ୍ଖଳନ ଭୟ ରହିଥିବାବେଳେ ପୁର୍ବରୁ ବାତ୍ୟା ଓ ଲଘୁଚାପରେ ଏକାଧିକ ଥର ଉକ୍ତ ଘାଟିରେ ଭୂସ୍ଖଳନ ହୋଇଥିବା ନଜିର ରହିଛି।

ସେହିପରି ଗଞ୍ଜାମ ଜିଲା ସୋରଡ଼ା ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଗାଜଲବାଡିଠାରେ ସିଲ କରାଯାଇ ଗଞ୍ଜାମ ପଟରୁ କନ୍ଧମାଳକୁ କୌଣସି ପ୍ରକାର ଗାଡି ମୋଟର ଉକ୍ତ ବିପଦ ପୂର୍ଣ୍ଣ ଘାଟିରେ ଯିବାକୁ ଦେବାକୁ ଯାଉନାହିଁ। ଘାଟି ସିଲ କରି ପୋଲିସ ସେଠାରେ ଜଗିରହିଛି। ଫଳରେ ଉଭୟ ପଟ ରାସ୍ତାଏବେ ବନ୍ଦ ଯୋଗୁ ଏକମାତ୍ର ଭରସା ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାର ଅଡବା, ମୋହନା ହୋଇ ବ୍ରହ୍ମପୁରକୁ ରାସ୍ତା ଏକମାତ୍ର ଭରସା ବୋଲି କୁହାଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।