ଦିଗପହଣ୍ଡିରେ ଖୁସିର ଲହର, ୫୯୧ ହିତାଧିକାରୀଙ୍କୁ ମିଳିଲା ପଟ୍ଟା
ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ବଡ଼ଡୁମ୍ବୁଳା ଓ କରପଡ଼ା ପଞ୍ଚାୟତରେ ଶୁକ୍ରବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ପଞ୍ଚାୟତର ବିଭିନ୍ନ ଗ୍ରାମର ୫୯୧ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ।
ପ୍ରଥମେ ବିଧାୟକ ବଡ଼ଡୁମ୍ବୁଳା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ପଟ୍ଟା ବଣ୍ଟନ ମେଳାରେ ଯୋଗଦେଇଥିଲେ। ସେଠାରେ ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ସରପଞ୍ଚ ଗୀତାଞ୍ଜଳି ଜାନି ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ସେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ୨୩୩ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଖାନା ସଂଶୋଧିତ ପଟ୍ଟା ଏବଂ ୨୧ ଜଣଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ, ରାଜସ୍ୱ ନିରୀକ୍ଷିକା ରଜନୀ ପ୍ରଧାନ, ସେବା ସମବାୟ ସମ୍ପାଦକ ଶେଷକାନ୍ତ ଜାନୀ, ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ଏବଂ ଘୋଡ଼ାହାଡ଼ ଜଳ ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି କରପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀଙ୍କ ସଂଯୋଜନାରେ ପଟ୍ଟା ବଣ୍ଟନ ମେଳା ଆୟୋଜିତ ହୋଇଥିଲା। ଏଠାରେ ବିଧାୟକ ୩୦୪ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଖାନା ସଂଶୋଧିତ ପଟ୍ଟା ଏବଂ ୩୩ ଜଣଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରିଥିଲେ। ପଞ୍ଚାୟତର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଉପସ୍ଥିତ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ତହସିଲଦାର, ଅତିରିକ୍ତ ତହସିଲଦାର, ଦେଖାଳି ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ପଣ୍ଡା, ସମିତି ସଭ୍ୟଙ୍କ ପ୍ରତିନିଧି ବିଶ୍ୱନାଥ ପ୍ରଧାନ, ସାମାଜିକ କର୍ମୀ ରଜତ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।