ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି
ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ଏକାଧିକ ଦିବ୍ୟାଙ୍ଗ ଯୁବତୀ, ଯୁବକ ଓ ଅନ୍ୟ ଦିବ୍ୟାଙ୍ଗଙ୍କୁ ସକ୍ଷମ ବ୍ୟକ୍ତିଙ୍କ ଭଳି ନିଜେ ରୋଜଗାର କରିବା ପାଇଁ ସୋଲାରଚାଳିତ ଯାତ୍ରୀବାହୀ ଅଟୋରିକ୍ସା, କମ୍ପ୍ୟୁଟର ଆଦି ପ୍ରଦାନ କରାଯାଇ ସ୍ୱରୋଜଗାରକ୍ଷମ କରାଯାଇଛି। ଏହା ସଫଳ ହୋଇଥିବାରୁ ଏବେ ଏସ୍ବିଆଇ ଫାଉଣ୍ଡେସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।
ଦାରିଙ୍ଗବାଡ଼ିର ସବୁଜ ବୈଦ୍ୟ ସଂଗଠନ ଓ ଏସ୍ବିଆଇ ଫାଉଣ୍ଡେସନର ମିଳିତ ସହଯୋଗରେ ଶୁକ୍ରବାର ଉକ୍ତ ବ୍ଲକ ଅଞ୍ଚଳର ଶତାଧିକ ଦିବ୍ୟାଙ୍ଗଙ୍କୁ ନେଇ ସବୁଜ ବୈଦ୍ୟ ସଂଗଠନ କାର୍ଯ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଦିବ୍ୟାଙ୍ଗଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନେ ମଧ୍ୟ ସକ୍ଷମ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ଏବଂ ସେମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଥିଲା। ରୋଜଗାର ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ପରାମର୍ଶ ଦିଆଯିବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏସ୍ବିଆଇ ଫାଉଣ୍ଡେଶନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମୁଖ୍ୟ ଶାଖାର ପରିଚାଳକ ନିର୍ଦ୍ଦେଶକ ତଥା ସିଇଓ ସ୍ୱପ୍ନଧର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଫାଉଣ୍ଡେଶନର ମୁମ୍ବାଇ କାର୍ଯ୍ୟାଳୟର ଭାଇସ୍ ପ୍ରେସିଡେଣ୍ଟ ଶଶୀ ଭୂଷଣ, ମୁମ୍ବାଇ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ମ୍ୟାନେଜର ବିକାଶ ଦୁବେ, ଦାରିଙ୍ଗବାଡ଼ି ଶାଖା ପରିଚାଳକ ମହେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିବା ସହ ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଦିବ୍ୟାଙ୍ଗଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ଏହି ପ୍ରୟାସ ସଫଳ ହେଲେ ଅଞ୍ଚଳର ସମସ୍ତ ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଫାଉଣ୍ଡେଶନ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ଏକାଧିକ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ପକ୍ଷରୁ ଚେକ୍ ପ୍ରଦାନ କରାଯାଇଥିଲା।
ଦିବ୍ୟାଙ୍ଗମାନେ ନିଜ ଦକ୍ଷତା ଓ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ଧନ୍ଦା କରି ସ୍ୱରୋଜଗାରକ୍ଷମ ହୋଇପାରିବେ। ବିଶେଷକରି ସୋଲାର ଅଟୋ, ସୋଲାରଚାଳିତ କମ୍ପ୍ୟୁଟର ଓ ବିଭିନ୍ନ ବ୍ୟବସାୟ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କର୍ମଶାଳାରେ କୁହାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କର୍ମଶାଳାରେ ଯୋଗଦେଇଥିବା ଦିବ୍ୟାଙ୍ଗମାନେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।