ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା
ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ କମ୍ପାନୀରେ କାମ କରୁଥିଲେ। ଅସୁସ୍ଥତା କାରଣରୁ ଗତ ଅଗଷ୍ଟ ୩୧ ତାରିଖରେ ସେ ଗୋଆ ର ମାଉଡ଼ି ରେଲୱେ ଷ୍ଟେଶନ ରୁ ଟ୍ରେନ ଯୋଗେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ସେ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗତ ୧ ତାରିଖରେ ବ୍ରହ୍ମପୁର ରେଲୱେ ଷ୍ଟେସନ ରେ ପହଞ୍ଚିବେ ବୋଲି ସୁରେଶ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଙ୍କୁ ଫୋନ ଯୋଗେ କହିଥିଲେ। କିନ୍ତୁ ସୁରେଶ ୨ ତାରିଖ ସୁଦ୍ଧା ଗାଁ ରେ ନପହଞ୍ଚିବାରୁ ପରିବାର ଲୋକେ ତାଙ୍କ ମୋବାଇଲ ଫୋନକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ୍ ଥିବା ଜଣାପଡିଥିଲା। ପରିବାର ଲୋକେ ବ୍ରହ୍ମପୁର ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ଏନେଇ ସୁରେଶଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି। ସୁରେଶ ଗୋଆର ଉକ୍ତ ଷ୍ଟିଲ କମ୍ପାନୀରେ ଗତ ପ୍ରାୟ ୨୦ ବର୍ଷ ହେଲା କାମ କରୁଛନ୍ତି। ଘଟଣା ପୂର୍ବ ଦିନ ସେ ଆକସ୍ମିକ ଭାବେ ଅସୁସ୍ଥ ହୋଇ ପଡ଼ିବାରୁ ସେଠାରେ ରହୁଥିବା ଶ୍ରମିକ ଠିକାଦାର ବୁଲୁ ଗୌଡ଼ ସୁରେଶଙ୍କୁ ସାଙ୍ଗରେ ଗୋଆ ନିକଟ ମାଉଡି ରେଲୱେ ଷ୍ଟେଶନକୁ ନେଇ ଟ୍ରେନ ରେ ବସାଇଥିବା ଏତଲାରେ ଉଲ୍ଲେଖ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।