ଦିଲ୍ଲୀ ଏସ୍ଆଇଆର୍ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହାସହ ଦିଲ୍ଲୀରେ ନିକଟ ଭବିଷ୍ୟତରେ କୌଣସି ନିର୍ୱାଚନ ନ ଥିବାବେଳେ ଅକ୍ଟୋବର ୩୦ କଟ୍-ଅଫ୍ ଡେଟ୍ (ସମୟସୀମା) ଧାର୍ଯ୍ୟ କରିବା ପାଇଁ ଅଦାଲତ ନାପସନ୍ଦ କରିଛନ୍ତି ଏବଂ ଏହି ସମୟସୀମା ବୃଦ୍ଧି କରିବାକୁ କହିଛନ୍ତି। ପୂର୍ୱରୁ ତାଲିକାରେ ଥିବା ଭୋଟରଙ୍କୁ ‘ନୂଆ ଭୋଟର’ ଶ୍ରେଣୀରେ ନ ରଖି ସେମାନଙ୍କ ପାଇଁ ଏକ ସହଜ ଓ ସରଳ ଉପାୟ ବାହାର କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବାଗ୍ଚୀ କହିଛନ୍ତି, ‘ଭୋଟ ଦେବାର ଅଧିକାର ହେଉଛି ଏକ ମୌଳିକ ଅଧିକାର। ଯଦି ଜଣେ ଭୋଟର ଅନୁପସ୍ଥିତ ରହିଲେ, ତେବେ ତାଙ୍କର ଏହି ଅଧିକାର ଚିରଦିନ ପାଇଁ ରଦ୍ଦ ହୋଇଯିବ କି ସେ ପ୍ରଶ୍ନ ଉଠାଇଛନ୍ତି। ଖଣ୍ଡପୀଠ କହିଛନ୍ତି, କେବଳ ଭୋଟରଙ୍କ ଆବେଦନକୁ ଅପେକ୍ଷା ନକରି ନିର୍ୱାଚନ ଆୟୋଗ ନିଜେ ସେମାନଙ୍କ ପାଖରେ ପହଞ୍ଚିବା ଉଚିତ। ଯେଉଁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ନାମ ପ୍ରକାଶ କରି ସେମାନଙ୍କୁ ନିକଟସ୍ଥ ବିଏଲ୍ଓଙ୍କ ସହ ଯୋଗାଯୋଗ କରି ଫର୍ମ-୮ ପୂରଣ କରିବାକୁ ସୁଯୋଗ ଦିଆଯାଉ ବୋଲି ଖଣ୍ଡପୀଠ କହିଛନ୍ତି।
ସାମାଜିକ କର୍ମୀ ଅଞ୍ଜଳି ଭାରଦ୍ୱାଜ ଏବଂ ଅମୃତା ଜୋହରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ। ଦିଲ୍ଲୀରେ ମୋଟ ୧.୪୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୯୭ ଲକ୍ଷ ଭୋଟର ଏନୁମରେଶନ ଫର୍ମ ଦାଖଲ କରିଥିବା ବେଳେ ୪୭ ଲକ୍ଷ ଫର୍ମ ମିଳି ନ ଥିଲା। ନିର୍ୱାଚନ ଆୟୋଗ ଏହାମଧ୍ୟରୁ ୩୧.୫୯ ଲକ୍ଷ ଭୋଟରଙ୍କୁ ‘ସ୍ଥାୟୀ ଭାବେ ସ୍ଥାନାନ୍ତରିତ’ ଏବଂ ୧୧ ଲକ୍ଷଙ୍କୁ ’ଅନୁପସ୍ଥିତ/ଅଜଣା’ ଭାବେ ଦର୍ଶାଇଛନ୍ତି। ମହାନଗରଗୁଡ଼ିକରେ କାର୍ଯ୍ୟ ଉଦ୍ଦେଶ୍ୟରେ ଲୋକମାନେ ଘର ବଦଳାଇବା ସାଧାରଣ କଥା। ତେଣୁ ଠିକଣା ବଦଳାଇଥିବା ଭୋଟରଙ୍କ ପାଇଁ ‘ଫର୍ମ-୮’ ବ୍ୟବହାର କରାଯାଉ, ମାତ୍ର ସେମାନଙ୍କୁ ‘ଫର୍ମ-୬’ ଦେଇ ସେମାନେ ନୂଆ ଭୋଟର ବୋଲି ଘୋଷଣାନାମା ଦେବାକୁ ବାଧ୍ୟ କରାଯାଉଥିବା ନିୟମ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।