ଛତ୍ରପୁରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚତୁର୍ଥ ଦିନରେ: ହୁଳହୁଳିରେ କମ୍ପୁଛି ପୂଜାମଣ୍ଡପ, ଆଳତି ଦର୍ଶନ କଲେ…

Oct 28, 2026 - 22:38
ଛତ୍ରପୁରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚତୁର୍ଥ ଦିନରେ: ହୁଳହୁଳିରେ କମ୍ପୁଛି ପୂଜାମଣ୍ଡପ, ଆଳତି ଦର୍ଶନ କଲେ…

ଛତ୍ରପୁର,୨୮।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି। ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ବୁଧବାର ଚତୁର୍ଥ ଦିନରେ ପହଞ୍ଚିଛି। ସୁସଜ୍ଜିତ ମେଢରେ ମା’ ଗଜଲକ୍ଷ୍ମୀ ଝଲସି ଉଠୁଥିବା ବେଳେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି।

ପୂଜାମଣ୍ଡପରେ ପଣ୍ଡିତ ସରୋଜ ଶତପଥୀ ଓ ନୃସିଂହ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ କରାଯାଇ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ମନ୍ତ୍ରପାଠ ସାଙ୍ଗକୁ ମହିଳା ଭକ୍ତଙ୍କ ହୁଳହୁଳି, ‘ଜୟ ମା’ ଗଜଲକ୍ଷ୍ମୀ’ ଧ୍ୱନି, ବାଦ୍ୟବାଜଣା ଏବଂ ଗାହାଣି ଗୀତ ପୂଜାସ୍ଥଳରେ ଏକ ପବିତ୍ର ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।

ଏହି ଅବସରରେ ଛତ୍ରପୁର ପୌରପରିଷଦର କାଉନସିଲର ପ୍ରୀତିଛନ୍ଦା ସାମଲଙ୍କ ସମେତ ବହୁ ଶ୍ରଦ୍ଧାଳୁ ପୂଜାମଣ୍ଡପରେ ପହଞ୍ଚି ମା’ଙ୍କ ଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ମହିଳା ଓ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।