ଦୀପାବଳି ପରେ UPI ଟ୍ରାଞ୍ଜାକ୍ସନରେ ଲାଗିବ ଏକ୍ସଟ୍ରା ଚାର୍ଜ? ଆସିଲା ବଡ଼ ଅପଡେଟ୍‌

Nov 07, 2026 - 16:27
ଦୀପାବଳି ପରେ UPI ଟ୍ରାଞ୍ଜାକ୍ସନରେ ଲାଗିବ ଏକ୍ସଟ୍ରା ଚାର୍ଜ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୧୧: ଯଦି ଆପଣ ଦୋକାନ ଚଲାଉଛନ୍ତି କିମ୍ୱା କୌଣସି ବ୍ୟବସାୟରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ UPI ସହିତ ଜଡିତ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଦୀପାବଳି ପରେ କିଛି ର୍ନିଦ୍ଦିଷ୍ଟ UPI ପେମେଣ୍ଟ ଉପରେ ମର୍ଚେଣ୍ଟ ଡିସକାଉଣ୍ଟ ରେଟ (MDR) ଲାଗୁ କରିବାର ପ୍ରସ୍ତୁତି ଚାଲିଛି। ଏହାର ଅର୍ଥ ହେଉଛି ର୍ନିଦ୍ଦିଷ୍ଟ ସର୍ତ୍ତାବଳୀ ଅଧୀନରେ କିଛି ବ୍ୟବସାୟୀଙ୍କୁ UPI ମାଧ୍ୟମରେ ମିଳୁଥିବା ପେମେଣ୍ଟ ଉପରେ ପ୍ରୋସେସିଂ ଫିସ ଦେବାକୁ ପଡିପାରେ। ତଥାପି, ଆଶ୍ୱସ୍ତିର କଥା ଏହା ଯେ ସାଧାରଣ ଗ୍ରାହକମାନଙ୍କୁ ସେମାନଙ୍କର UPI ପେମେଣ୍ଟ ଉପରେ ଅତିରିକ୍ତ ଭାବରେ ଏହି ଶୁଳ୍ପ ଦେବାକୁ ପଡିବ ନାହିଁ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ପୂର୍ୱରୁ ଏହି ନିୟମକୁ ୧୫ ଅକ୍ଟୋବର 2026 ରୁ ଲାଗୁ କରିବା ପାଇଁ ପ୍ରସ୍ତୁତି କରିଥିଲା, କିନ୍ତୁ ପର୍ୱପର୍ୱାଣୀ ସିଜିନକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ, ୧୩ ଅକ୍ଟୋବରରେ ଅନୁଷ୍ଠିତ ବୈଠକ ପରେ NPCI ସଙ୍କେତ ଦେଇଛି ଯେ ନୂତନ ନିୟମ ଦୀପାବଳିର ଠିକ ପରେ ଲାଗୁ କରାଯିବ। ତଥାପି, ଏହାର ର୍ନିଦ୍ଦିଷ୍ଟ ତାରିଖ ଏଯାଏଁ ଘୋଷଣା କରାଯାଇ ନାହିଁ।

ମର୍ଚେଣ୍ଟ ଡିସକାଉଣ୍ଟ ରେଟ (MDR) ହେଉଛି ସେହି ଫିସ, ଯାହା ଜଣେ ଦୋକାନୀ କିମ୍ୱା ବ୍ୟବସାୟୀଙ୍କୁ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ଏବଂ ଏହାକୁ ପ୍ରୋସେସ କରାଇବା ବଦଳରେ ଦେବାକୁ ପଡିଥାଏ। ଏହି ଟଙ୍କା ପେମେଣ୍ଟ ସହିତ ଜଡିତ ବିଭିନ୍ନ କମ୍ପାନୀ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବଣ୍ଟନ କରାଯାଇଥାଏ।

ପ୍ରସ୍ତାବିତ ନିୟମ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ କିଛି ମର୍ଚେଣ୍ଟ UPI ଟ୍ରାଞ୍ଜାକସନ ଉପରେ 0.4% MDR ଲଗାଯିବ। ୭୫,୦୦୦ ଟଙ୍କା ବା ତହିଁରୁ ଅଧିକ ଟ୍ରାଞ୍ଜାକସନ ଉପରେ ଏହି ଚାର୍ଜ ସର୍ୱାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ।

* ୩,୦୦୦ ଟଙ୍କାର ପେମେଣ୍ଟ ଉପରେ ୧୨ ଟଙ୍କା MDR।
* ୫୦,୦୦୦ ଟଙ୍କାର ପେମେଣ୍ଟ ଉପରେ ୨୦୦ ଟଙ୍କା MDR।
* ୭୫,୦୦୦ ଟଙ୍କା ବା ତହିଁରୁ ଅଧିକ ପେମେଣ୍ଟ ଉପରେ ସର୍ୱାଧିକ ୩୦୦ ଟଙ୍କା MDR।

ବଡ଼ ଦୋକାନୀ ଏବଂ ରିଟେଲର୍ସ: ୨,୦୦୦ ଟଙ୍କାରୁ ଅଧିକ କିଛି UPI ପେମେଣ୍ଟ ନେଉଥିବା ବଡ଼ ବ୍ୟବସାୟୀଙ୍କ ଉପରେ 0.4% MDR ଲାଗିପାରେ। ତଥାପି, ୭୫,୦୦୦ ଟଙ୍କା ବା ତହିଁରୁ ଅଧିକ ପେମେଣ୍ଟ ଉପରେ ଏହି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହେବ ନାହିଁ।

ସାନ ଦୋକାନୀ: ଯୋଗ୍ୟ P2PM ବର୍ଗର ଛୋଟ ବ୍ୟବସାୟୀମାନେ ଜିରୋ (0) MDR ର ଲାଭ ପାଉଥିବେ। ଏଥିରେ ସେହି ଯୋଗ୍ୟ ଦୋକାନୀମାନେ ସାମିଲ ଅଛନ୍ତି, ଯେଉଁମାନେ UPI QR କୋଡ ମାଧ୍ୟମରେ ପ୍ରତି ମାସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ନିଜର ବ୍ୟାଙ୍କ ଖାତାରେ ଗ୍ରହଣ କରନ୍ତି। ଅର୍ଥାତ୍ କୌଣସି ଛୋଟ ଦୋକାନୀଙ୍କୁ ୩,୦୦୦ ଟଙ୍କାର ପେମେଣ୍ଟ ମିଳିଲେ ମଧ୍ୟ କେବଳ ଟଙ୍କାର ପରିମାଣ ଆଧାରରେ MDR ଲାଗିବ ନାହିଁ।

ଜରୁରୀ ସେବା: ରେଳବାଇ, ଟେଲିକମ, ଇନ୍ସୁରାନ୍ସ, ଫୁଏଲ ଏବଂ କୃଷି ସହିତ ଜଡିତ କିଛି ର୍ନିଦ୍ଦିଷ୍ଟ ପେମେଣ୍ଟ ଉପରେ 0.4% ବଦଳରେ ୫ ଟଙ୍କାର ଏକ ଫ୍ଲାଟ ଶୁଳ୍ପ ପ୍ରସ୍ତାବିତ ଅଛି।

କ୍ୟାପିଟାଲ ମାର୍କେଟ: ମ୍ୟୁଚୁଆଲ ଫଣ୍ଡ, ସିକ୍ୟୁରିଟିଜ ଏବଂ ଷ୍ଟକ ବ୍ରୋକର୍ସ ସହିତ ଜଡିତ କିଛି ଟ୍ରାଞ୍ଜାକସନ ଉପରେ 0.02% MDR ଲାଗିବ। ଏହାର ସର୍ୱାଧିକ ସୀମା ୩୦୦ ଟଙ୍କା ହେବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।