ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

Nov 07, 2026 - 15:02
ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। କୃଷକ ସଭାର ଗଞ୍ଜାମ ଜିଲା ସମ୍ପାଦକ ତଥା ଆଇନଜୀବୀ ପି.ଶିବଶଙ୍କର, ଆଇନଜୀବୀ କୁରେଶୁ ପଣ୍ଡା,ସୁଶାନ୍ତ କୁମାର ଷଡ଼ଙ୍ଗୀ, ଶଶୀଭୂଷଣ ରଥ, ନକୁଳ ପ୍ରଧାନ, ଉଜ୍ଜ୍ୱଳ ସାହୁ, ପୁଷ୍ପଧ୍ୱଜ ସାହୁ, ଶ୍ରୀରାମୁଲୁ ରେଡ୍ଡୀ, ଲିଙ୍ଗରାଜ ଶବର, ଅରୁଣ କୁମାର ସାହୁ, ଅଟଳ ଭଟ୍ଟ, ପ୍ରତିମା ଶବର, ସୁଧାଂଶୁ ପଣ୍ଡ, ବି. ଇରେଶୁ, ରାମ ସେଠୀ, ଜୟସେନ ନାୟକ, ଭଗବାନ ଗୌଡ଼ ପ୍ରମୁଖ ଚାଷୀ ପ୍ରତିନିଧି ଦଳ ତହସିଲଦାରଙ୍କ ସବିଶେଷ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ଗତ ଅକ୍ଟୋବର ୨୭ ତାରିଖରୁ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ପବନ ସହ ମୂଷଳ ଧାରାରେ ବର୍ଷା ହୋଇଥିଲା। ନଦୀ, ନାଳରେ ବନ୍ୟାଜଳ ଆସି ଶତାଧିକ ଚାଷୀ ଓ ଭାଗଚାଷୀଙ୍କ ଚାଷଜମି ଜଳମଗ୍ନ ହେବାସହ ଧାନଫସଲ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଫସଲ ନଷ୍ଟ ହୋଇଯିବା କାରଣରୁ ଚାଷୀଙ୍କ ଅଣ୍ଟା ଭାଙ୍ଗି ପଡ଼ିଥିବାବେଳେ ସେମାନେ ଜୀବିକା ହରାଇ ଚିନ୍ତାଗସ୍ତ ହୋଇ ପଡ଼ିଛନ୍ତି। ତେଣୁ ସମସ୍ତ କ୍ଷତିଗସ୍ତ ଚାଷୀଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଉ। ପ୍ରତି ଗ୍ରାମକୁ ଗୋଟିଏ ୟୁନିଟ୍‌ ଭାବେ ବିବେଚନା କରାଯାଇ ନିରପେକ୍ଷ ସର୍ଭେ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯାଉ। ସମସ୍ତ ଚାଷୀଙ୍କ କୃଷିଋଣ ଛାଡ଼ କରାଯାଉ। ବାଲିଚର ଜମି ଏବଂ ନଷ୍ଟ ହୋଇଥିବା ଜମିଗୁଡ଼ିକର ପୁନରୁଦ୍ଧାର ପାଇଁ ଚାଷୀଙ୍କୁ ସୁଧ ବିହୀନ ଋଣ ଦିଆଯାଉ। ସମସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରାଯାଉ। କୃଷି ବିଭାଗ ପକ୍ଷରୁ ଆଗାମୀ ରବି ଫସଲ ପାଇଁ ମାଗଣାରେ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯିବା ପ୍ରଭୃତି ଦାବି ସମେତ ଅନ୍ୟାନ୍ୟ ଦାବି ସ୍ମାରକପତ୍ରରେ ଉଲ୍ଲେଖ ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।