ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍କା! ୭-୮% ମହଙ୍ଗା ହେବ…
ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା ଚିନ୍ତା ବଢ଼ାଇଛି। ପିଆଜ, ଚିନି ଓ ଲେମ୍ବୁ ପରେ ଏବେ ରୋଷେଇରେ ବ୍ୟବହୃତ ଖାଇବା ତେଲର ଦର ମଧ୍ୟ ବଢ଼ିବା ଆଶଙ୍କା କରାଯାଉଛି।
ଭାରତ ନିଜ ଆବଶ୍ୟକତାର ପ୍ରାୟ ୫୮ ପ୍ରତିଶତ ଖାଇବା ତେଲ ଆମଦାନୀ କରିଥାଏ। ତେଣୁ ବିଶ୍ୱ ବଜାରରେ ତେଲ ଦରରେ ହେଉଥିବା ପରିବର୍ତ୍ତନର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଥାଏ।
ସୂଚନା ଅନୁସାରେ, ମାର୍ଚ୍ଚ ପରଠାରୁ ଖାଇବା ତେଲ ଦରରେ ଦୁଇ ଦଫା ବୃଦ୍ଧି ହୋଇସାରିଛି। ଏହି ସମୟରେ କମ୍ପାନୀଗୁଡ଼ିକ ପ୍ରାୟ ୫-୬ ପ୍ରତିଶତ ଲେଖାଏଁ ଦର ବଢ଼ାଇଛନ୍ତି। ଫଳରେ ମାର୍ଚ୍ଚରୁ ଜୁନ ମଧ୍ୟରେ ଖାଇବା ତେଲର ମୋଟ ଦର ପ୍ରାୟ ୧୦-୧୨ ପ୍ରତିଶତ ବଢ଼ିଛି।
ଏବେ ବିଶ୍ୱ ବଜାରର ପରିସ୍ଥିତି ଓ କଞ୍ଚାମାଲ ଯୋଗାଣରେ ହ୍ରାସ ଯୋଗୁ ଖାଇବା ତେଲ ଦରରେ ଆଉ ୭-୮ ପ୍ରତିଶତ ବୃଦ୍ଧିର ଆଶଙ୍କା ରହିଛି। ଏପରି ହେଲେ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଖାଇବା ତେଲର ଦର ପ୍ରାୟ ୧୮-୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।
ଖାଇବା ତେଲର ଦର ଉପରେ ନୂଆ ଚାପର ପ୍ରମୁଖ କାରଣ ହେଉଛି କଞ୍ଚା ଖାଇବା ତେଲର ଆମଦାନୀ ଖର୍ଚ୍ଚ ବୃଦ୍ଧି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆ (SEA)ର ତଥ୍ୟ ଅନୁସାରେ, ସେପ୍ଟେମ୍ବର ୧୮ରେ ମୁମ୍ବାଇ ବନ୍ଦରରେ କଞ୍ଚା ପାମ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ କ୍ରମଶଃ ୧,୨୬୫ ଡଲାର, ୧,୩୧୪ ଡଲାର ଓ ୧,୩୮୦ ଡଲାର ପ୍ରତି ଟନ ଥିଲା। ଗତବର୍ଷ ତୁଳନାରେ ପାମ ଓ ସୋୟାବିନ ତେଲର ମୂଲ୍ୟ ପ୍ରାୟ ୧୧ ପ୍ରତିଶତ ଅଧିକ ରହିଥିବା ବେଳେ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ପ୍ରାୟ ୭ ପ୍ରତିଶତ ବଢ଼ିଛି।
ଦୁର୍ବଳ ଟଙ୍କା, ବଢ଼ିଥିବା ପରିବହନ ଖର୍ଚ୍ଚ ଓ ଇନ୍ସ୍ୟୁରାନ୍ସ ପ୍ରିମିୟମ ବୃଦ୍ଧି ମଧ୍ୟ ବିଶ୍ୱ ବଜାରରେ ଭେଜିଟେବଲ ଅଏଲର ଦର ବଢ଼ାଇଛି। ଏହାର ପ୍ରଭାବ ରିଫାଇନର୍ ଓ ପ୍ରୋସେସର୍ଙ୍କ ଉପରେ ପଡ଼ୁଛି।
ଇମାମି ଗ୍ରୁପ୍ର ନିର୍ଦ୍ଦେଶକ ଆଦିତ୍ୟ ଅଗ୍ରୱାଲଙ୍କ କହିବା ଅନୁସାରେ, କଞ୍ଚା ଖାଇବା ତେଲର ଲ୍ୟାଣ୍ଡେଡ କଷ୍ଟ ପ୍ରାୟ ୮-୧୧ ପ୍ରତିଶତ ବଢ଼ିଛି। ଏହି ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କ ଉପରେ ପକାଇବାକୁ କମ୍ପାନୀମାନେ ବାଧ୍ୟ ହୋଇପାରନ୍ତି।
ଇମାମି ଏଗ୍ରୋଟେକ ପକ୍ଷରୁ ‘ହେଲ୍ଦି ଆଣ୍ଡ ଟେଷ୍ଟି’ ଓ ‘ବେଷ୍ଟ ଚଏସ’ ଭଳି ଖାଇବା ତେଲ ବ୍ରାଣ୍ଡ ବଜାରକୁ ଆସୁଛି। ପାର୍ବଣ ଋତୁ ପୂର୍ବରୁ ତେଲ ଦର ବଢ଼ିଲେ ଏହାର ପ୍ରଭାବ ସିଧାସଳଖ ଭାବେ ସାଧାରଣ ଗ୍ରାହକଙ୍କ ଘରୋଇ ବଜେଟ ଉପରେ ପଡ଼ିପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।