ଦୂର୍ଗା ସପ୍ତମୀ ସନ୍ଧ୍ୟାରେ ବଡ଼ ଅଘଟଣ: ଭୁଷୁଡ଼ି ପଡ଼ିଲା ପେଣ୍ଡାଲ; ଦଳାଚକଟାରେ ୧୭ ମୃତ, ଅନେକ…
କୋଲକାତା,୧୭।୧୦: ମହାସପ୍ତମୀ ସନ୍ଧ୍ୟାରେ କୋଲକାତାର ପ୍ରସିଦ୍ଧ ‘ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତି’ ପୂଜା ପଣ୍ଡାଲରେ ଏକ ବଡ଼ଧରଣର ଅଘଟଣ ଘଟିଛି। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା କାରଣରୁ ଲୋକେ ଏକାଠି ପଣ୍ଡାଲ ଭିତରକୁ ପଶିଆସିଥିଲେ। ଏହି ସମୟରେ ମଣ୍ଡପର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଏବଂ ଅତ୍ୟଧିକ ଭିଡ଼ ଯୋଗୁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ଆହତମାନଙ୍କୁ ତୁରନ୍ତ କୋଲକାତା ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ BJP ନେତା ତଥା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ପ୍ରଦେଶ BJP ସଭାପତି ସମିକ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
#WATCH | North Kolkata, West Bengal | A stampede-like situation was reported at the Chorbagan Sarbojanin Puja pandal. The injured were shifted to the hospital. More details awaited. https://t.co/EZm78mo5mN
— ANI (@ANI) October 17, 2026
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମଣ୍ଡପ ବାହାରେ ଏକ ଗୋଲାକାର ଉଚ୍ଚ କରିଡ଼ୋର୍ ବା ଗଳି ରହିଛି, ଯେଉଁଠାରୁ ବାହାରକୁ ବାହାରିବା ପାଇଁ ୩୬୦ ଡିଗ୍ରୀ ବୁଲିବାକୁ ପଡ଼େ। ପ୍ରବଳ ଭିଡ଼ ଏବଂ ବର୍ଷା ସମୟରେ ଏହି ସ୍ଥାନରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବା ନେଇ ସ୍ଥାନୀୟ ଲୋକେ ଏବଂ ପରିଦର୍ଶକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂଜା କମିଟି କେବଳ ଭିଆଇପି (VIP) ଏବଂ ଅତିଥିମାନଙ୍କ ପାଇଁ ବ୍ୟବସ୍ଥା କରିଥିବା ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଅବହେଳା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଚଳିତ ବର୍ଷ ଏହି ପୂଜା ପଣ୍ଡାଲର ଥିମ୍ ‘ଅରବା’ ବା ‘ବିୟୋଣ୍ଡ ସାଉଣ୍ଡ’ ଦେଖିବା ପାଇଁ ଲୋକଙ୍କର ବିଶେଷ ଭିଡ଼ ଜମିଥିଲା। ଏହି ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।