ଧନଶ୍ରୀ ଗର୍ଭବତୀ ଥିବାବେଳେ ଚହଲ ହେଇଥିଲେ ଧୋକା! ଭାଇରାଲ ହେଉଛି ଆରଜେ ମହବଶଙ୍କ ଭିଡିଓ

Nov 05, 2026 - 15:46
ଧନଶ୍ରୀ ଗର୍ଭବତୀ ଥିବାବେଳେ ଚହଲ ହେଇଥିଲେ ଧୋକା! ଭାଇରାଲ ହେଉଛି ଆରଜେ ମହବଶଙ୍କ ଭିଡିଓ

ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏଥର ଚର୍ଚ୍ଚାର କାରଣ ହେଉଛି ଆରଜେ ମହବଶଙ୍କ ଏକ ପୁରୁଣା ସାକ୍ଷାତକାରର ଭାଇରାଲ ଭିଡିଓ। ଏଥିରେ ସେ ଜଣେ ବ୍ୟକ୍ତିଙ୍କ ବିଷୟରେ କହିଥିଲେ, ଯିଏ ନିଜ ଗର୍ଭବତୀ ପତ୍ନୀଙ୍କୁ ଧୋକା ଦେଇଥିଲେ। ଏହି ବୟାନକୁ କିଛି ସୋସିଆଲ ମିଡିଆ ୟୁଜର ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ସହ ଯୋଡ଼ିବା ଆରମ୍ଭ କରିଛନ୍ତି। କିନ୍ତୁ ଭିଡିଓର ପୂରା ଅଂଶ ଦେଖିବା ପରେ ଘଟଣାଟି ଭିନ୍ନ ବୋଲି ଜଣାପଡ଼ିଛି।
ଏକ ସାକ୍ଷାତକାରରେ ମହବଶ କହିଥିଲେ, ଜଣେ ବ୍ୟକ୍ତିଙ୍କ ଛାଡ଼ପତ୍ରର କାରଣ ଥିଲା ସେ ନିଜ ଗର୍ଭବତୀ ପତ୍ନୀଙ୍କୁ ଧୋକା ଦେଇଥିଲେ। ଧୋକା ଦେବା ଲୋକଙ୍କ ଅଭ୍ୟାସ ସହଜରେ ବଦଳେ ନାହିଁ। ଏହି କ୍ଲିପ୍‌ଟି ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ଚହଲଙ୍କ ସହ ଯୋଡ଼ିଥିଲେ। ତେବେ ସାକ୍ଷାତକାରର ଅନ୍ୟ ଅଂଶରେ ମହବାଶ ନିଜ ଜୀବନର ଏକ ପୁରୁଣା ଘଟଣା ବିଷୟରେ କହିଥିବା ଜଣାପଡ଼ିଛି।

ସେ କହିଥିଲେ, ମାତ୍ର ୧୯ ବର୍ଷ ବୟସରେ ଫେସବୁକ ମାଧ୍ୟମରେ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେହି ଯୁବକ ମଧ୍ୟ ଉତ୍ତରପ୍ରଦେଶର ଆଲିଗଡ଼ର ବାସିନ୍ଦା ଥିଲେ। ଅନ୍ୟପଟେ ଚହଲ ହରିୟାଣାର ବାସିନ୍ଦା। ତେଣୁ ଭାଇରାଲ ବୟାନଟି ଚହଲଙ୍କୁ ନେଇ ଥିଲା ବୋଲି କହିବାର ଆଧାର ନାହିଁ।

ଚହଲ ଓ ଧନଶ୍ରୀଙ୍କ ପ୍ରଥମ ପରିଚୟ ୨୦୨୦ ମସିହାରେ କରୋନା ଲକ୍‌ଡାଉନ ସମୟରେ ହୋଇଥିଲା। ଅନଲାଇନ ଡ୍ୟାନ୍ସ କ୍ଲାସ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ସମ୍ପର୍କ ଘନିଷ୍ଠ ହୋଇଥିଲା ଏବଂ ଡିସେମ୍ବର ୨୦୨୦ରେ ଗୁରୁଗ୍ରାମରେ ପରିବାରବର୍ଗଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ। ତେବେ ବିବାହର ପ୍ରାୟ ଚାରି ବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୨୫ ଫେବ୍ରୁଆରୀରେ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟ ବାହାରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ପରେ ଉଭୟଙ୍କ ପାରସ୍ପରିକ ସମ୍ମତିରେ ଛାଡ଼ପତ୍ର ପ୍ରକ୍ରିୟା ଆଗକୁ ବଢ଼ିଥିଲା ଏବଂ ମାର୍ଚ୍ଚ ୨୦୨୫ରେ ଛାଡ଼ପତ୍ରକୁ ଆଇନଗତ ମଞ୍ଜୁରି ମିଳିଥିଲା।

ଧନଶ୍ରୀଙ୍କଠାରୁ ଅଲଗା ହେବା ପରେ ଚହଲଙ୍କ ନାଁ ଅନେକ ଥର ଆରଜେ ମହବଶଙ୍କ ସହ ଯୋଡ଼ା ଯାଇଥିଲା। ତେବେ ଉଭୟ ନିଜକୁ ଭଲ ବନ୍ଧୁ ବୋଲି କହି ଆସିଛନ୍ତି। ଏକ ସାକ୍ଷାତକାରରେ ଚହଲ ମଧ୍ୟ ମହବଶ ତାଙ୍କର ଜଣେ ଭଲ ବନ୍ଧୁ ଏବଂ ଖରାପ ସମୟରେ ସେ ତାଙ୍କୁ ସମର୍ଥନ କରିଥିଲେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।