ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଚର୍ଚ୍ଚା: ଝିଅର ଜୀବନସାଥୀକୁ ନେଇ ସଚିନ କହିଲେ…

Nov 05, 2026 - 13:15
ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଚର୍ଚ୍ଚା: ଝିଅର ଜୀବନସାଥୀକୁ ନେଇ ସଚିନ କହିଲେ…

ମୁମ୍ବାଇ,୫।୧୧: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସାରା ନିଜ ଜନ୍ମଦିନ ସେଲିବ୍ରେଶନ୍‌ର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ଜନ୍ମଦିନ ଗତ ମାସ ୧୨ ତାରିଖରେ ଥିବା ବେଳେ ଗତ ରାତିରେ ସେ ସେଲିବ୍ରେଶନ୍‌ର ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ପରିବାର ସଦସ୍ୟମାନେ ସାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ ବୋଲି ଆଶୀର୍ବାଦ କରିଛନ୍ତି। ପରିବାରର ସଦସ୍ୟଙ୍କ ଏଭଳି ମଜାଳିଆ ଶୁଭେଚ୍ଛା ପରେ ସାରାଙ୍କ ବିବାହକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ଭିଡିଓରେ ସଚିନ ତେନ୍ଦୁଲକର ଝିଅ ସାରାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆଶା କରୁଛି ତୁମକୁ ଜଣେ ରୋଚକ ଓ ଭଲ ଜୀବନସାଥୀ ମିଳୁ। ଏହା ପରେ ସେ ମଜାଳିଆ ଢଙ୍ଗରେ କହିଥିଲେ ଯେ ତାଙ୍କୁ ଆଉ ଅଧିକ କିଛି କହିବା ଉଚିତ୍‌ ନୁହେଁ। ସାରା ଏମିତି ହିଁ ସକାରାତ୍ମକତା ବାଣ୍ଟି ଚାଲନ୍ତୁ ବୋଲି ମଧ୍ୟ ସେ କହିଥିଲେ। ସଚିନଙ୍କ ଏହି ମନ୍ତବ୍ୟ ପରେ ସାରାଙ୍କ ବିବାହକୁ ନେଇ ଅନୁମାନ ଆହୁରି ବଢ଼ିଛି।

ସାରାଙ୍କ ମା’ ଅଞ୍ଜଳି ତେନ୍ଦୁଲକର କହିଥିଲେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହେଉ ବୋଲି ସେ ପ୍ରାର୍ଥନା କରୁଛନ୍ତି। ସେହିପରି ଭାଇ ଅର୍ଜୁନ ତେନ୍ଦୁଲକର ମଜାଳିଆ ଢଙ୍ଗରେ କେବଳ ‘ଜନ୍ମଦିନର ଶୁଭେଚ୍ଛା’ କହିଥିଲେ। ତାଙ୍କ ଏହି କଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ। ଅର୍ଜୁନଙ୍କ ପତ୍ନୀ ସାନିଆ ଚନ୍ଦୋକ ମଧ୍ୟ ସାରାଙ୍କୁ ଏହି ବର୍ଷ ଜଣେ ଭଲ ଜୀବନସାଥୀ ମିଳୁ ବୋଲି ଶୁଭକାମନା ଜଣାଇଥିଲେ। ସାନିଆଙ୍କ ମା’ ମଧ୍ୟ ସାରାଙ୍କୁ ଯାଆଁଳା ଶିଶୁଙ୍କ ପିଉସୀ ହେବାର ଆଶୀର୍ବାଦ ଦେଇଥିଲେ।
ସାନିଆ ସାରାଙ୍କୁ କହିଥିଲେ, ଏହି ବର୍ଷ ତାଙ୍କୁ ଏମିତି ଜଣେ ଜୀବନସାଥୀ ମିଳୁ, ଯିଏ ପେରି କ୍ରସ ରୋଡ୍‌ରେ ରହୁଥିବେ। ଫଳରେ ସାରା ସବୁବେଳେ ପରିବାରର ନିକଟରେ ରହିପାରିବେ।

ପରିବାର ସଦସ୍ୟଙ୍କ ଏହି ମଜାଳିଆ ଶୁଭେଚ୍ଛା ଓ ଆଶୀର୍ବାଦକୁ ଦେଖି ସାରାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ତାଙ୍କ ବିବାହ ନେଇ ପରିବାର ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ।

ସାରା ତେନ୍ଦୁଲକରଙ୍କ ବୟସ ୨୯ ବର୍ଷ। ସେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ହେବା ସହ ନିଜର ବ୍ୟବସାୟ ମଧ୍ୟ ପରିଚାଳନା କରୁଛନ୍ତି। ଅତୀତରେ ଭାରତୀୟ କ୍ରିକେଟର୍‌ ଶୁବମନ ଗିଲଙ୍କ ସହ ମଧ୍ୟ ତାଙ୍କ ନାଁ ଯୋଡ଼ା ଯାଇଥିଲା। ତେବେ ଏହି ସମ୍ପର୍କକୁ ନେଇ କୌଣସି ଅଧିକାରିକ ସ୍ପଷ୍ଟୀକରଣ ନାହିଁ।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।