ନିର୍ବାଚନୀ ପ୍ରଭାବ, ମସ୍କଙ୍କ କମ୍ପାନୀର ବଜାର ମୂଲ୍ୟରେ ୧୩୦ ବିଲିୟନ ଡଲାର ହ୍ରାସ
ୱାଶିଂଟନ,୬।୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଫଳାଫଳ ବୈଶ୍ୱିକ ପୁଞ୍ଜି ବଜାର ଉପରେ ତ୍ୱରିତ ପରିବର୍ତ୍ତନ ଆଣିଛି। କେବଳ ବାହାର ଦେଶ ନୁହେଁ, ଆମେରିକା ଶେୟାର ଓ ପୁଞ୍ଜି ବଜାର ମଧ୍ୟ ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଏହି ଫଳାଫଳ ବିଶ୍ୱର ସବୁଠୁ ବିତ୍ତଶାଳୀ ବ୍ୟବସାୟୀ ଏଲନ୍ ମସ୍କଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି । ନିର୍ବାଚନରେ ଡେମୋକ୍ରାଟିକ୍ ଦଳର ବିଜୟ ପରେ ମସ୍କଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ନିବେଶକଙ୍କ ନଜର କଡ଼ା ହୋଇଛି। ଏହାର ପ୍ରଭାବରେ ବୁଧବାର ଟେସ୍ଲା ଓ ‘ସ୍ପେସ-ଏକ୍ସ’ର ଶେୟାର ମୂଲ୍ୟ ଯଥାକ୍ରମେ ୩.୩ ପ୍ରତିଶତ ଓ ୩.୮ ପ୍ରତିଶତ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ଉଭୟ କମ୍ପାନୀର ମିଳିତ ବଜାର ମୂଲ୍ୟ ପ୍ରାୟ ୧୩୦ ବିଲିୟନ ଡଲାର ହ୍ରାସ ପାଇଛି। କେବଳ ଟେକ୍ସାସ ନୁହେଁ, ସମଗ୍ର ଆମେରିକାରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ମସ୍କଙ୍କ ପାଇଁ ରାଜନୈତିକ ଓ ବ୍ୟବସାୟିକ ଚିନ୍ତା ବଢ଼ାଇଛି। କାରଣ ମସ୍କ ହେଉଛନ୍ତି ରିପବ୍ଲିକାନ ପାର୍ଟିର ଜଣେ ବଡ଼ ସମର୍ଥକ। ନିର୍ବାଚନ ପୂର୍ବରୁ ସେ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ପାଇଁ ପ୍ରାୟ ୪୫୦ ନିୟୁତ ଡଲାର ଖର୍ଚ୍ଚ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିମଧ୍ୟରୁ ପ୍ରାୟ ୨୦୫ ନିୟୁତ ଡଲାର ଟେକ୍ସାସ୍ ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଥିବା କୁହାଯାଇଛି। ଟେକ୍ସାସ୍ ରାଜ୍ୟକୁ ମସ୍କ ନିଜ ବ୍ୟବସାୟିକ ସାମ୍ରାଜ୍ୟର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିଛନ୍ତି। ଟେସ୍ଲା ଏବଂ ‘ସ୍ପେସ-ଏକ୍ସ’ର ମୁଖ୍ୟାଳୟ ଏହି ରାଜ୍ୟରେ ରହିଛି। କିନ୍ତୁ ଡେମୋକ୍ରାଟ୍ଙ୍କ ବିଜୟ ପରେ ଏବେ ତାଙ୍କ କମ୍ପାନୀଗୁଡ଼ିକର କାର୍ଯ୍ୟକଳାପ ଉପରେ ରାଜନୈତିକ ଚାପ ପଡ଼ିବା ସହିତ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିକାଶ, ଡାଟା ସେଣ୍ଟର ନିର୍ମାଣ ଏବଂ ଟେସ୍ଲା-‘ସ୍ପେସ୍ ଏକ୍ସ’ର ସମ୍ଭାବ୍ୟ ମିଶ୍ରଣ ଉପରେ ଅଧିକ ଯାଞ୍ଚ ହୋଇପାରେ ବୋଲି କୁହାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।