ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର, ରାଜ୍ୟ କର୍ମଚାରୀଙ୍କୁ ମିଳିବ ୩୦ ଦିନର ବୋନସ
ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟ ସରକାର ୨୦୨୫-୨୦୨୬ ବର୍ଷ ପାଇଁ ୩୦ ଦିନର ତଦର୍ଥ ବୋନସ ପ୍ରଦାନକୁ ମଞ୍ଜୁରୀ ଦେଇଛନ୍ତି। ଅଣରାଜପତ୍ରିତ ରାଜ୍ୟ କର୍ମଚାରୀଙ୍କଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ସ୍ଥାନୀୟ ନିକାୟ ଏବଂ ଜିଲ୍ଲା ପଞ୍ଚାୟତର ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଏହି ବୋନସ ପାଇବେ। ବୋନସରେ ନଗଦ ଟଙ୍କା ସହ ସଞ୍ଚୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଅନୁମୋଦନ ପରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଲୋକ କୁମାର ଗୁରୁବାର ଏ ସମ୍ପର୍କରେ ସରକାରୀ ଆଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଦୈନିକ ମଜୁରି ଭିତ୍ତିରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଲାଭବାନ ହେବେ। ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧୫ ଲକ୍ଷ କର୍ମଚାରୀ ଉପକୃତ ହେବେ।
ରାଜ୍ୟର ଯୋଗ୍ୟ କର୍ମଚାରୀମାନଙ୍କୁ ସର୍ବାଧିକ ୬,୯୦୮ ଟଙ୍କା ବୋନସ ମିଳିବ। ଏହାଦ୍ୱାରା ପ୍ରାୟ ୧୪.୮୨ ଲକ୍ଷ ଅଣରାଜପତ୍ରିତ କର୍ମଚାରୀ ଉପକୃତ ହେବେ। ବୋନସ ନିର୍ଦ୍ଧାରଣ ପାଇଁ ସର୍ବାଧିକ ମାସିକ ପାରିଶ୍ରମିକ ସୀମା ୭,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଜାରି ହୋଇଥିବା ସରକାରୀ ଆଦେଶ ଅନୁଯାୟୀ, ରାଜ୍ୟ ସରକାରୀ କର୍ମଚାରୀ, ଅଣରାଜପତ୍ରିତ କର୍ମଚାରୀଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ନିକାୟ ଏବଂ ଜିଲା ପଞ୍ଚାୟତର ଯୋଗ୍ୟ କର୍ମଚାରୀମାନେ ଏହି ସୁବିଧା ପାଇବେ। ବୋନସ୍ର ୨୫ ପ୍ରତିଶତ ଅର୍ଥ ତୁରନ୍ତ ନଗଦ ଆକାରରେ ପ୍ରଦାନ କରାଯିବ। ବାକି ୭୫ ପ୍ରତିଶତ ଅର୍ଥ କର୍ମଚାରୀଙ୍କ ସାଧାରଣ ଭବିଷ୍ୟନିଧି ପାଣ୍ଠି (GPF)ରେ ଜମା କରାଯିବ।
ନିକଟରେ ଅବସର ନେଇଥିବା କିମ୍ବା ଖୁବ୍ଶୀଘ୍ର ଅବସର ନେବାକୁ ଥିବା ଯୋଗ୍ୟ କର୍ମଚାରୀଙ୍କୁ ବୋନସ୍ର ସମ୍ପୂର୍ଣ୍ଣ ଅର୍ଥ ନଗଦ ଆକାରରେ ମିଳିବ। ଏହାବ୍ୟତୀତ ଯେଉଁ କର୍ମଚାରୀମାନେ ଭବିଷ୍ୟନିଧି ପାଣ୍ଠିର ସଦସ୍ୟ ନୁହନ୍ତି, ସେମାନଙ୍କୁ ଏହି ଅର୍ଥ ନ୍ୟାସନାଲ ସେଭିଂସ ସାର୍ଟିଫିକେଟ (NSC) କିମ୍ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଆକାରରେ ପ୍ରଦାନ କରାଯିବ।
ଚଳିତ ବର୍ଷ ମାର୍ଚ୍ଚ ୩୧ ପରେ ଅବସର ନେଇଥିବା କିମ୍ବା ଆସନ୍ତା ବର୍ଷ ଏପ୍ରିଲ ୩୦ ସୁଦ୍ଧା ଅବସର ନେବାକୁ ଥିବା କର୍ମଚାରୀଙ୍କୁ ବୋନସ୍ର ସମ୍ପୂର୍ଣ୍ଣ ରାଶି ନଗଦ ଆକାରରେ ମିଳିବ।
ଅନ୍ୟପକ୍ଷରେ, ଦୈନିକ ମଜୁରି ଭିତ୍ତିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ବୋନସ ରାଶି ନିର୍ଦ୍ଧାରଣ କରାଯାଇଛି। ସେମାନଙ୍କୁ ସର୍ବାଧିକ ୧,୧୮୪ ଟଙ୍କା ବୋନସ ଦିଆଯିବାର ବ୍ୟବସ୍ଥା ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।