ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ନାମ ଓ ଦଳୀୟ ଚିହ୍ନର ବ୍ୟବହାର ଉପରେ କଟକଣା ଲଗାଇ ଏହାକୁ ଫ୍ରିଜ୍ କରିବାକୁ ନିର୍ବାଚନ ଆୟୋଗ (EC) ନେଇଥିବା ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି।
ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍ କୋର୍ଟରେ ଏକ ସ୍ୱତନ୍ତ୍ର ପିଟିସନ୍ ଦାଖଲ କରିଛନ୍ତି। ସୋମବାର, ସେପ୍ଟେମ୍ବର ୨୧ ତାରିଖରେ ପ୍ରଧାନ ବିଚାରପତି (CJI) ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ସମ୍ମୁଖରେ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରାଯିବାର ସମ୍ଭାବନା ରହିଛି।
ନନ୍ଦୀଗ୍ରାମ ଓ ରେଜିନଗର ଉପନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଦୁଇଟି ବଡ଼ ଝଟ୍କା ଲାଗିଛି। ପ୍ରଥମତଃ, ଗୁରୁବାର ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସର ମୂଳ ନାମ ଓ ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି। ଅପରପକ୍ଷରେ, ନନ୍ଦୀଗ୍ରାମରୁ ମମତା ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଡେ ଶୁକ୍ରବାର ଅପରାହ୍ନରେ ହଠାତ୍ ଶୁଭେନ୍ଦୁ ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ତେବେ ଏହା ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ନନ୍ଦୀଗ୍ରାମ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ଘୋଷଣା କରିଛନ୍ତି।
ଦଳୀୟ ବିବାଦକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମମତା ବାନାର୍ଜୀ ଗୋଷ୍ଠୀ ଏବଂ ଅରୂପ ରୋୟ/ଋତବ୍ରତ ବାନାର୍ଜୀ ଗୋଷ୍ଠୀକୁ ଭିନ୍ନ ଭିନ୍ନ ନାମ ଓ ନିର୍ବାଚନ ଚିହ୍ନ ଆବଣ୍ଟନ କରିଛନ୍ତି। ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଟବଲ୍ ପ୍ଲେୟାର’ ଚିହ୍ନ ମିଳିଥିବା ବେଳେ ଅରୂପ ରୋୟ/ଋତବ୍ରତ ବାନାର୍ଜୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଲିଫାପା’ (ଏନଭେଲପ୍) ଚିହ୍ନ ମିଳିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।