Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର
"କାଳିଆପାଣି (ରବି ନାରାୟଣ କର): ବୃହତ୍ ପିଜୁଳି ବଗିଚାକୁ ନେଇ ମହିଳା ସଶକ୍ତୀକରଣ ଯୋଜନାରେ ଗଢ଼ାଯାଇଥିବା ସୁକିନ୍ଦା ଅମୃଦ୍ ଓମେନ ଫାର୍ମରର୍ସ ପ୍ରଡ୍ୟୁସର କମ୍ପାନି(ଏସ୍ଏଡବ୍ଲ୍ୟୁଏଫ୍ପିସି)ର ଅଂଶୀଦାର ଥିବା ୨୫୩ ଜଣ ମହିଳାଙ୍କ ବ୍ୟାଙ୍କ ଖାତାରେ ଆଜି ପ୍ରଥମ ଲାଭାଂଶ ଅର୍ଥରାଶି ଜମା କରାଯାଇଛି।
ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ଚଣ୍ଡୀ ମନ୍ଦିର ପରିସରରେ ଏସ୍ଏଡବ୍ଲ୍ୟୁଏଫ୍ପିସିର ପ୍ରଥମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ପଦକ୍ଷେପ ନିଆଯାଇଛି।Advertisment ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ଏପିଓ ସୁଚରିତା ଲେଙ୍କା, ସହକାରୀ ଉଦ୍ୟାନକୃଷି ଅଧିକାରୀ(ଏଏଚ୍ଓ) ତପନ କୁମାର ପାତ୍ର ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍)ର ଜୀବିକା ଅଧିକାରୀ ଅବିନାଶ ବୈରୀଗଞ୍ଜନଙ୍କ ଉପସ୍ଥିତିରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମଙ୍ଗଳପୁର ଶାଖା ପ୍ରବନ୍ଧକ ବିନୟ କୁମାର ମାରାଣ୍ଡି ଏହି ଘୋଷଣା କରିଥିଲେ।
ଏସ୍ଏଡବ୍ଲ୍ୟୁଏଫ୍ପିସି ଅଧ୍ୟକ୍ଷା ସେବତୀ ଦେହୁରୀଙ୍କ ମାର୍ଫତରେ ପରିଚାଳିତ ବ୍ୟାଙ୍କ ଖାତାରୁ ପ୍ରଥମ କିସ୍ତିରେ ୩, ୨୬, ୨୦୦ ଟଙ୍କା ଉଠାଯାଇ ମହିଳାମାନଙ୍କ ଜମାଖାତାକୁ ପଠାଯାଇଥିଲା।
ଏହାକୁ ନେଇ ସଂପୃକ୍ତ ମହିଳାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।
ମହିଳାମାନେ ହୁଳହୁଳି ପକାଇ ଅତିଥି ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।
ପିଜୁଳି ବଗିଚାରୁ ମହିଳା ଅଂଶୀଦାର ଆତ୍ମନିର୍ଭର ହେବା ଦେଶର ପ୍ରଥମ ନିଦର୍ଶନ ବୋଲି କୁହାଯାଇଛି।
ଇଣ୍ଡିଆନ ଗ୍ରାମୀଣ ସର୍ଭିସେସ୍(ଆଇଜିଏସ୍) ଜୋନାଲ ମୁଖ୍ୟ ଭାସ୍କର ଚନ୍ଦ୍ର ସାହୁ ଓ ଯାଜପୁର ପ୍ରକଳ୍ପ ମୁଖ୍ୟ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କ ସଂଯୋଜନାରେ ଏସ୍ଏଡବ୍ଲ୍ୟୁଏଫ୍ପିସି ଅଧ୍ୟକ୍ଷ ସେବତୀ ଦେହୁରୀଙ୍କ ସଭାପତିତ୍ବରେ ପରିଚାଳିତ ଏହି ସମାବେଶରେ ବିଡିଓ ଶ୍ରୀମତୀ ପୃଷ୍ଟି ମୁଖ୍ୟଅତିଥି ଭାବେ ଏହାକୁ ମାତୃଶକ୍ତି ଅଭିବୃଦ୍ଧିର ପ୍ରକୃଷ୍ଟ କ୍ଷେତ୍ର ବୋଲି କହିଥିଲେ।
ଏପିଓ ଶ୍ରୀମତୀ ଲେଙ୍କା ଭିବିଜିରାମଜି ଯୋଜନାର ସଫଳ ରୂପାୟନ ଆଲୋଚନା କରିଥିଲେ।
ଏଏଚ୍ଓ ଶ୍ରୀ ପାତ୍ର, ଡିଏମ୍ଏଫ୍ର ଜୀବିକା ଅଧିକାରୀ ଶ୍ରୀ ବୈରୀଗଞ୍ଜନ, ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀ ମାରାଣ୍ଡି, ସାମ୍ବାଦିକ ରବି ନାରାୟଣ କର, ବନରକ୍ଷୀ କାଲାଇ ବାନସିଂ ଓ ଏଡିଇଓ ବିଭୂତି ଚରଣ ବେହେରା ସମ୍ମାନିତ ଅତିଥି ଭାବେ ବୃହତ୍ ପିଜୁଳି ବଗିଚା ଓ ମହିଳା ଅଂଶୀଦାରଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ସାଧାରଣ ପରିଷଦ ନିର୍ଦ୍ଦେଶନା ମଣ୍ଡଳୀ ସଦସ୍ୟା ଲିପିନା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।
ଆଇଜିଏସ୍ ପକ୍ଷରୁ ଉଦ୍ୟାନବିତ୍ ଅଭୟ ବେରା, ସୁଜାତା ରାଉତ, ରଶ୍ମିତା ପଣ୍ଡା, ବିଦୁଲତା ମହାପାତ୍ର, ରୋଜାଲିନ ବେହେରା, ବିକ୍ରମ ମହାନ୍ତ ଓ ନରହରି ପାତ୍ର ପ୍ରମୁଖ ସହଯୋଗ କରିଥିଲେ। women: "ବର୍ତ୍ତମାନ ମହିଳା ସଶକ୍ତୀକରଣର ସୁନାମି ଆସିଛି" ଆଇଜିଏସ୍ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦୁଧୁଯୋରୀ ଓ କୁହିକା ପଞ୍ଚାୟତ ସୀମାନ୍ତ ଦାମୋଦରପୁର, ବୋତଲଣ୍ଡା, ମୂଳଖମ୍ବ ଓ ବାମ୍ବିଲୋ ମୌଜାର ମଧ୍ୟବର୍ତ୍ତୀ ସ୍ଥଳରେ ଥିବା ୨ଶହ ଏକର ଜମିରେ ଏହି ବୃହତ୍ ପିଜୁଳି ବଗିଚା ଏବେ ଉତ୍ପାଦନକ୍ଷମ ହୋଇପାରିଛି।
ମହିଳାମାନଙ୍କୁ ଆତ୍ମନିର୍ଭର କରାଇବା ସହିତ ବଗିଚାର ସୁପରିଚାଳନା ଯୋଜନାରେ ୩୫୦ ଜଣ ସ୍ଥାନୀୟ ମହିଳାମାନଙ୍କୁ ନେଇ ଏସ୍ଏଡବ୍ଲ୍ୟୁଏଫ୍ପିସି ଗଢ଼ାଯାଇଛି।
ହଜାର ଟଙ୍କା ଲେଖାଏଁ ପ୍ରଥମ ଅଂଶଧନ ଦେଇ ମହିଳାମାନେ କମ୍ପାନିର ଅଂଶୀଦାର ହୋଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।