ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍କା: ଭାରତ ବିପକ୍ଷ ସିରିଜ୍ ମଝିରେ ଘଟିଲା…
ଓ୍ବେଲିଂଟନ,୨୯।୧୦:ଭାରତ ବିପକ୍ଷ ଟି-୨୦ ସିରିଜ୍ରେ ଆହତ ସମସ୍ୟା ନ୍ୟୁଜିଲାଣ୍ଡ ଦଳର ଚିନ୍ତା ବଢ଼ାଇଛି। ପୂର୍ବରୁ ଆହତ ସମସ୍ୟାରେ ଗତି କରୁଥିବା କିୱି ଦଳକୁ ଆଉ ଏକ ଝଟକା ଲାଗିଛି। ଦ୍ରୁତ ବୋଲର ଲକି ଫର୍ଗୁସନ ଆହତ କାରଣରୁ ଭାରତ ବିପକ୍ଷ ଟି-୨୦ ସିରିଜ୍ରୁ ଅବଶିଷ୍ଟ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଦ୍ରୁତ ବୋଲର ମ୍ୟାଟ ଫିସରଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପଟେ, ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀ ମଧ୍ୟ ଆହତ ହୋଇଛନ୍ତି।
ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ଫର୍ଗୁସନଙ୍କ ଡାହାଣ ପାଦରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କର ସ୍କାନ କରାଯାଇଥିଲା। ରିପୋର୍ଟରୁ ମାଂସପେଶୀ ସାମାନ୍ୟ ଆଘାତ ହୋଇଥିବା ଜଣାପଡ଼ିଛି। ସୁସ୍ଥ ହୋଇ ପଡ଼ିଆକୁ ଫେରିବା ପାଇଁ ତାଙ୍କୁ ପ୍ରାୟ ଏକ ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ଲାଗିପାରେ। ଏହି କାରଣରୁ ସେ ଭାରତ ବିପକ୍ଷ ଟି-୨୦ ସିରିଜ୍ରୁ ବାକି ମ୍ୟାଚଗୁଡ଼ିକରେ ଖେଳିପାରିବେ ନାହିଁ।
ଫର୍ଗୁସନଙ୍କ ସ୍ଥାନରେ ମ୍ୟାଟ ଫିସରଙ୍କୁ ନ୍ୟୁଜିଲାଣ୍ଡର ଟି-୨୦ ଦଳରେ ସାମିଲ କରାଯାଇଛି। ସେ ପୂର୍ବରୁ ବୋଲିଂ ବିକଳ୍ପ ଭାବେ ୱେଲିଂଟନରେ ଦଳ ସହ ରହିଥିଲେ। ଏବେ ତାଙ୍କୁ ସିରଜ୍ର ଅବଶିଷ୍ଟ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳିପାରେ। ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀ ମଧ୍ୟ ଆହତ ହୋଇଥିଲେ। ସୁସ୍ଥ ହେବାକୁ ତାଙ୍କୁ ଏକରୁ ଦୁଇ ସପ୍ତାହ ସମୟ ଲାଗିପାରେ।
ଆହତ ଯୋଗୁ ଭାରତ ବିପକ୍ଷ ଟି-୨୦ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ବିଭାଗରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡ଼ୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।