ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

Oct 29, 2026 - 12:10
ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ ଧୋଇ ହୋଇଯାଇଥିବାରୁ ଗୋପାଳପୁରରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ-୫୯ରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଫଳରେ ଦାରିଙ୍ଗବାଡ଼ିରୁ ସୋରଡ଼ା ଓ ବ୍ରହ୍ମପୁର ଅଭିମୁଖେ ଯାତାୟାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଠପ୍‌ ହୋଇପଡ଼ିଛି।
ବର୍ଷା ଓ ସମ୍ଭାବ୍ୟ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗତ ସୋମବାରଠାରୁ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଗାଜଲବାଡ଼ି ଘାଟିକୁ ଆଗୁଆ ସିଲ କରାଯାଇଥିଲା। ଘାଟିରେ ଯାତାୟାତ ବନ୍ଦ କରାଯାଇଥିବାରୁ ଏକ ବଡ଼ ବିପଦକୁ ଏଡ଼ାଇ ଦିଆଯାଇପାରିଥିବା କୁହାଯାଉଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲାରୁ ଆସୁଥିବା ଜଳ ଏବଂ ଗାଜଲବାଡ଼ି ଘାଟି ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷାର ଜଳ ଅଡ଼ାଙ୍ଗୀ ନଦୀରେ ମିଶିବା ପରେ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏହାର ପ୍ରଭାବରେ ଗାଜଲବାଡ଼ି ନିକଟ ଭୂତପଙ୍କାଳ ବ୍ରିଜ ଧୋଇ ହୋଇଯାଇଥିବା ଜଣାପଡ଼ିଛି। ବ୍ରିଜ ନଷ୍ଟ ହେବା ଫଳରେ ଏହି ରାସ୍ତାରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ସେହିପରି, ଜାତୀୟ ରାଜପଥ-୫୯ର ଅସୁରବନ୍ଧ ଅଞ୍ଚଳ ପରେ ଗୋବିନ୍ଦପୁର ନିକଟ ପାଟପଲି ନଦୀରେ ମଧ୍ୟ ଜଳସ୍ତର ବଢ଼ିଛି। ନଦୀ ଉପରେ ଥିବା ବ୍ରିଜ ଉପରେ ପ୍ରାୟ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାରୁ ଗାଜଲବାଡ଼ି ଓ ଅସୁରବନ୍ଧ ଅଞ୍ଚଳରୁ ସୋରଡ଼ା ଅଭିମୁଖେ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇଯାଇଛି।
ବ୍ରିଜ ଧୋଇଯିବା ଏବଂ ନଦୀରେ ବନ୍ୟାଜଳ ପ୍ରବାହ ଯୋଗୁ ଦାରିଙ୍ଗବାଡ଼ି ଓ ଏହାର ଆଖପାଖ ଅଞ୍ଚଳରୁ ବ୍ରହ୍ମପୁର ଯିବାକୁ ଥିବା ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ରାସ୍ତା ଓ ବ୍ରିଜ୍‌ର ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଯାତାୟାତ ବାଧାପ୍ରାପ୍ତ ରହିବା ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।