ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନଜରରେ ୪ ଐତିହାସିକ ରେକର୍ଡ: ହାତରେ ରହିଛି ସୁବର୍ଣ୍ଣ ସୁଯୋଗ

Nov 03, 2026 - 09:37
ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନଜରରେ ୪ ଐତିହାସିକ ରେକର୍ଡ: ହାତରେ ରହିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୪ରୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜ୍‌ରେ ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନିଜର ଦମ୍‌ଦାର ଫର୍ମ ସହ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ରୋହିତଙ୍କ ପାଖରେ ଏହି ସିରିଜ୍‌ରେ ୪ଟି ବଡ଼ ରେକର୍ଡ ହାସଲ କରିବାର ସୁଯୋଗ ରହିଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ୨୨୫ ରନ କରିଥିବା ରୋହିତ ଭଲ ଫର୍ମରେ ଅଛନ୍ତି। ନଭେମ୍ବର ୪ରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ଦିନିକିଆ ଖେଳାଯିବ। ନ୍ୟୁଜିଲାଣ୍ଡ ମାଟିରେ ରୋହିତଙ୍କ ରେକର୍ଡ ବିଶେଷ ଭଲ ନଥିଲେ ମଧ୍ୟ ଏହି ସିରିଜ୍‌ରେ ତାଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।

ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ପୂର୍ବରୁ ହିଁ ରୋହିତ ଶର୍ମାଙ୍କ ନାମରେ ରହିଛି। ଏପର୍ଯ୍ୟନ୍ତ ସେ ୩୮୧ଟି ଛକା ମାରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ୧୯ଟି ଛକା ମାରିପାରିଲେ ଦିନିକିଆ କ୍ରିକେଟ୍‌ରେ ୪୦୦ ଛକା ମାରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର୍‌ ହୋଇଯିବେ।

ରୋହିତ ଶର୍ମା ୫୧୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ୨୦,୬୫୨ ରନ କରିଛନ୍ତି। ୨୧ ହଜାର ରନ ପୂରଣ କରିବାକୁ ତାଙ୍କୁ ଆଉ ୩୪୮ ରନ ଆବଶ୍ୟକ। ଏହି ମାଇଲଖୁଣ୍ଟ ହାସଲ କଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୧ ହଜାର ରନ କରିଥିବା ଚତୁର୍ଥ ଭାରତୀୟ ବ୍ୟାଟର୍‌ ହେବେ। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି।

ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ SENA ଦେଶରେ ରୋହିତ ଏପର୍ଯ୍ୟନ୍ତ ୪,୯୬୪ ରନ କରିଛନ୍ତି। ଏହି ଦେଶଗୁଡ଼ିକରେ ୫ ହଜାର ରନ ପୂରଣ କରିବାକୁ ତାଙ୍କୁ ଆଉ ମାତ୍ର ୩୬ ରନ ଆବଶ୍ୟକ। ତେଣୁ ପ୍ରଥମ ଦିନିକିଆରେ ହିଁ ଏହି ରେକର୍ଡ ହାସଲ କରିବାର ସୁଯୋଗ ରହିଛି।

ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତ ଶର୍ମା ଏପର୍ଯ୍ୟନ୍ତ ୯୮ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଆଉ ଦୁଇଟି ଅର୍ଦ୍ଧଶତକ ହାସଲ କରିପାରିଲେ ତାଙ୍କର ୫୦ ପ୍ଲସ ସ୍କୋର ସଂଖ୍ୟା ୧୦୦ରେ ପହଞ୍ଚିବ। ଏପରି କରିପାରିଲେ ଦିନିକିଆ କ୍ରିକେଟ୍‌ରେ ୧୦୦ ଥର ୫୦ରୁ ଅଧିକ ରନ କରିବାରେ ସେ ବିଶ୍ୱର ଷଷ୍ଠ ବ୍ୟାଟର୍‌ ହେବେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।