ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!
ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲ୍ଙ୍କୁ ରଣଜୀ ଟ୍ରଫିରେ ଖେଳିବାର ସୁଯୋଗ ମିଳିପାରେ। ତେବେ ପଞ୍ଜାବ ପକ୍ଷରୁ ଆସାମ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଖେଳିବେ ନାହିଁ। ଛତିଶଗଡ଼ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଗିଲ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ରହିଛି। ଏହି ମ୍ୟାଚ ଅକ୍ଟୋବର ୧୮ରୁ ୨୧ ତାରିଖ ମଧ୍ୟରେ ଖେଳାଯିବ।
ପଞ୍ଜାବ ଓ ଆସାମ ମଧ୍ୟରେ ନ୍ୟୁ ଚଣ୍ଡୀଗଡ଼ରେ ହେବାକୁ ଥିବା ମ୍ୟାଚରେ ଦଳର ନେତୃତ୍ୱ ନେବେ ଭାରତୀୟ ଅଣ୍ଡର-୧୯ ଦଳର ପୂର୍ବତନ ଅଧିନାୟକ ଉଦୟ ସହାରନ। ତେବେ ଗିଲ ପ୍ରଥମ ମ୍ୟାଚରୁ କାହିଁକି ବାଦ୍ ପଡ଼ିଛନ୍ତି, ସେନେଇ ଏଯାଏ କୌଣସି ଅଧିକାରିକ ସୂଚନା ମିଳିନାହିଁ।
ଶୁଭମନ ଗିଲ ବର୍ତ୍ତମାନ ଇଣ୍ଡିଆ-ଏ ଦଳର ଅଂଶ ନୁହନ୍ତି। ତେଣୁ ରଣଜୀ ଟ୍ରଫିର ଦ୍ୱିତୀୟ ମ୍ୟାଚ ତାଙ୍କ ପାଇଁ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ଏବଂ ନିଜ ବ୍ୟାଟିଂ ଦକ୍ଷତା ପରଖିବାର ଏକ ଭଲ ସୁଯୋଗ ହୋଇପାରେ। ଯଦି ସେ ଛତିଶଗଡ଼ ବିପକ୍ଷରେ ଖେଳନ୍ତି, ତେବେ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ମ୍ୟାଚ ଅଭ୍ୟାସ ହାସଲ କରିପାରିବେ।
ଜାତୀୟ ଚୟନ କମିଟି ଉପଲବ୍ଧ ଭାରତୀୟ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ରଣଜୀ ଟ୍ରଫିରେ ଅତି କମ୍ରେ ଗୋଟିଏ ମ୍ୟାଚ ଖେଳିବାକୁ ପରାମର୍ଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ରବୀନ୍ଦ୍ର ଜାଡେଜା ସୌରାଷ୍ଟ୍ର, କେଏଲ ରାହୁଲ କର୍ନାଟକ, ଗୁରନୁର ବରାଡ଼ ପଞ୍ଜାବ ଏବଂ ଆକାଶ ଦୀପ ବେଙ୍ଗଲ ପକ୍ଷରୁ ଖେଳୁଛନ୍ତି। ତେବେ ଗିଲ ରଣଜୀ ଟ୍ରଫିର ଦ୍ୱିତୀୟ ମ୍ୟାଚ ଖେଳିବେ କି ନାହିଁ, ସେନେଇ ଏଯାଏ ଚୂଡ଼ାନ୍ତ ସୂଚନା ମିଳିନାହିଁ।
ଭାରତୀୟ ଦଳ ଚଳିତ ମାସରେ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଅକ୍ଟୋବର ୨୨ରୁ ଟି-୨୦ ଅନ୍ତର୍ଜାତୀୟ ସିରିଜ ସହ ଏହି ଗସ୍ତ ଆରମ୍ଭ ହେବ। ଏହାପରେ ଉଭୟ ଦଳ ମଧ୍ୟରେ ୫ଟି ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ ଖେଳାଯିବ। ଶେଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜିତ ହେବ।
ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ଶୁଭମନ ଗିଲ ଭାରତୀୟ ଦଳର ନେତୃତ୍ୱ ନେବେ। ଏହାପରେ ନଭେମ୍ବର ୧୯ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ରଣଜୀ ଟ୍ରଫିରେ ଖେଳିବା ଗିଲଙ୍କ ପାଇଁ ନିଜ ଫର୍ମ ଓ ପ୍ରସ୍ତୁତିକୁ ପରଖିବାର ଏକ ଭଲ ସୁଯୋଗ ହୋଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।