ପଣ୍ଡିତରାୟ ସାହି ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ: ୧୧ ଜୁଆଡ଼ି ଗିରଫ, ଅନ୍ଧାରର ସୁଯୋଗ ନେଇ…

Oct 28, 2026 - 23:00
ପଣ୍ଡିତରାୟ ସାହି ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ: ୧୧ ଜୁଆଡ଼ି ଗିରଫ, ଅନ୍ଧାରର ସୁଯୋଗ ନେଇ…

ଦିଗପହଣ୍ଡି/ଚିକିଟି, ୨୮।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ପଣ୍ଡିତରାୟ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚିକିଟି ଫାଣ୍ଡି ପୋଲିସ୍ ଅତର୍କିତ ଚଢ଼ାଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ଜୁଆଡ଼ିଙ୍କ ନିକଟରୁ ୨୩,୩୦୦ ଟଙ୍କା, ତାସ ମୁଠା, ୯ଟି ମୋବାଇଲ୍ ଫୋନ୍ ଏବଂ ତାରପୋଲିନ୍ ଜବତ କରାଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ପଣ୍ଡିତରାୟ ସାହିରେ ବେଆଇନ ଜୁଆ ଖେଳ ଚାଲିଥିବା ନେଇ ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଫାଣ୍ଡି ଅଧିକାରୀ ଏନେଇ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କୁ ଜଣାଇବା ପରେ, ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ସଦଳବଳେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଅନ୍ଧାର ରାତିର ସୁଯୋଗ ନେଇ କିଛି ଜୁଆଡ଼ି କୌଶଳକ୍ରମେ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ୧୧ ଜଣଙ୍କୁ ପୋଲିସ କାବୁ କରିଥିଲା।

ଏହି ଘଟଣାରେ କେ.ନୂଆଗାଁ ଥାନା ମାମଲା ନଂ. ୨୬୭/୨୬, ବିଏନ୍‌ଏସ୍ (BNS) ର ଦଫା ୧୧୨(୨) ଏବଂ ୩ ଓପିଜି ଆକ୍ଟ (OPG Act) ଅନୁଯାୟୀ ମାମଲା ରୁଜୁ କରାଯାଇଛି। କେ.ନୂଆଗାଁ ଥାନା ଏସ୍‌ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ, କୋର୍ଟରେ ହାଜର ହେବା ସର୍ତ୍ତରେ ମୁଚୁଲିକା ବଣ୍ଡ ଆଧାରରେ ଜାମିନରେ ଛାଡ଼ିଛନ୍ତି।

ସେହିପରି ଗତ କୁମାର ପୂର୍ଣ୍ଣିମା (ରବିବାର) ସନ୍ଧ୍ୟାରେ ବମୋକେଇ ଗ୍ରାମରେ ଚାଲିଥିବା ଜୁଆ ଖେଳ ଉପରେ ଏସ୍‌ଆଇ ଅଭିଷେକ ପାଣ୍ଡବ ଓ ଫାଣ୍ଡି ଅଧିକାରୀ ଗୌତମ ସାହୁ ସଦଳବଳେ ଚଢ଼ାଉ କରିଥିଲେ। ସେଠାରୁ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ୧୨,୫୦୦ ଟଙ୍କା ଓ ତାସ ମୁଠା ଜବତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ଉପସ୍ଥିତ ରହିବା ସର୍ତ୍ତରେ ଜାମିନରେ ଛଡ଼ାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।