ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…
ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ମୃତକ ହେଲେ କମଳିନୀ ପତି। ସେ ସ୍ବାମୀ ବିଜୟ ପତି ଓ ତିନି ଛୋଟ ପିଲାଙ୍କ ସହ ରହୁଥିଲେ। ପରିବାର ଲୋକ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଜୟ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବା ସହ କମଳିନୀଙ୍କ ସହ ମାଡ଼ପିଟ କରୁଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ବିଜୟ ମଦ୍ୟପାନ କରି ଘରେ ଗଣ୍ଡଗୋଳ କରିବା ସହ କମଳିନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଘର ଭିତରେ କମଳିନୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।ଘଟଣା ପରେ ଘର ଭିତରେ ଭଙ୍ଗା ମଦ ବୋତଲ ଓ କାଚ ଖଣ୍ଡ ପଡ଼ିଥିବା ଦେଖାଯାଇଥିବା ଗ୍ରାମବାସୀ କହିଛନ୍ତି। ଆଜି ସକାଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ବିଜୟ ପତିଙ୍କୁ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। କମଳିନୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ପାଇକିରାପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।