U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

Sep 16, 2026 - 12:20
U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି ଏବଂ ଆସନ୍ତା ୧୯ରେ ବଲାଙ୍ଗୀର ହେବାକୁ ଥିବା କ୍ୟାମ୍ପରେ ଆସନ୍ତା ୧୮ ତାରିଖ ସୁଦ୍ଧା କୋଚ୍‌ଙ୍କ ନିକଟରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଗତ କିଛିଦିନ ହେବ ସେ କଟକ ବାରବାଟୀ ଷ୍ଟାଡିଅମରେ ଓସିଏ ପକ୍ଷରୁ ଟିମ୍‌ ସହ ପ୍ରାକ୍ଟିସ କରୁଥିଲେ। ପୂର୍ବରୁ ସେ ଗଞ୍ଜାମ ଜିଲା ପାଇଁ ବାରବାଟୀ କ୍ରିକେଟ ଷ୍ଟାଡିଅମରେ ଆନ୍ତଃଜିଲା ମହିଳା କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ। ବର୍ତ୍ତମାନ ସେ ବ୍ରହ୍ମପୁରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଜଣେ ଦକ୍ଷ ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ଜିଲାରେ ଜଣାଶୁଣା ଥିବା ବେଳେ ସେ ଜଣେ ଭଲ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ଭୁବନେଶ୍ୱରରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ପିତା ମିନତ ମିଶ୍ର ବ୍ରହ୍ମପୁରରେ ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ସେ ମଧ୍ୟ ଜଣେ ଭଲ କ୍ରିକେଟ୍‌ ଖେଳାଳି ଭାବେ ପୂର୍ବରୁ ଗୁଡ଼ାରି ପାଇଁ ଅନେକ ଥର ଗୌରବ ଆଣିଛନ୍ତି। ଏହାଛଡ଼ା ସେ ଗଜପତି ଜିଲା କ୍ରିକେଟ ପାଇଁ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ। ପିତାଙ୍କ କହିବାନୁଯାୟୀ ଝିଅ ପରିଶ୍ରମ କରୁଛି ସମସ୍ତଙ୍କ ଆଶୀର୍ବାଦ ରହିଲେ ସେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇବ। ଏହି ଖବର ଶୁଣିବା ପରେ ଆୟୁଷାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।