ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…
ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ ପୂର୍ବରୁ ଖାଇବା ତେଲ (Vegetable Oil) ର ବୃଦ୍ଧିପାଉଥିବା ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ (Import Duty) ହ୍ରାସ କରିବାକୁ ବିଚାର କରୁଛନ୍ତି। ରଏଟର୍ସ (Reuters) ର ଏକ ରିପୋର୍ଟ ଅନୁଯାୟୀ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ତେଲ ଦର ନିୟନ୍ତ୍ରଣକୁ ଆସିବା ସହ ତ୍ୟାହାର ସମୟରେ ଲୋକଙ୍କୁ ବଡ଼ ଫାଇଦା ମିଳିବ।
ଭାରତ ବିଶ୍ୱର ସବୁଠାରୁ ବଡ଼ ଖାଇବା ତେଲ ଆମଦାନୀକାରୀ ଦେଶ। ନିଜର ମୋଟ ଚାହିଦାର ପ୍ରାୟ ଦୁଇ-ତୃତୀୟାଂଶ ତେଲ ଭାରତ ବିଦେଶରୁ କ୍ରୟ କରିଥାଏ। ମୁଖ୍ୟତଃ ମାଲେସିଆ, ଇଣ୍ଡୋନେସିଆ, ଆର୍ଜେଣ୍ଟିନା, ରାଷ୍ଟ୍ରପତି ରୁଷ ଓ ୟୁକ୍ରେନ ଭଳି ଦେଶରୁ ପାମ୍ ଓଏଲ୍, ସୋୟାବିନ୍ ଓଏଲ୍ ଏବଂ ସୂର୍ଯ୍ୟମୁଖୀ (SunFlower) ତେଲ ଆମଦାନୀ କରାଯାଇଥାଏ।
ଗତ ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଖାଇବା ତେଲର ଦର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଦୁର୍ଗାପୂଜା, ନବରାତ୍ରୀ ଓ ଦୀପାବଳି ଭଳି ବଡ଼ ବଡ଼ ପର୍ବପର୍ବାଣୀ ଆସୁଥିବାରୁ ବଜାରରେ ମିଠା ଓ ଛଣାଖାଦ୍ୟର ଚାହିଦା ବଢ଼ିବ, ଯାହା ଫଳରେ ତେଲର ବ୍ୟବହାର ମଧ୍ୟ ଅଧିକ ହେବ। ଏହି ବର୍ଦ୍ଧିତ ଚାହିଦା ଓ ଦରଦାମକୁ ସମ୍ଭାଳିବା ପାଇଁ ସରକାର ଆମଦାନୀ ଶୁଳ୍କ କମାଇବାକୁ ଗୁରୁତ୍ୱ ଦେଉଛନ୍ତି।
କେତେ କମିପାରେ ଆମଦାନୀ ଶୁଳ୍କ?
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକଙ୍କୁ ମହଙ୍ଗା ମାଡ଼ରୁ ରକ୍ଷା କରିବା ସହ ଦେଶର ଚାଷୀଙ୍କ ସ୍ୱାର୍ଥକୁ ମଧ୍ୟ ଧ୍ୟାନରେ ରଖାଯାଉଛି। ସରକାର ମୂଳ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ କରିପାରନ୍ତି। ଏହାଦ୍ୱାରା ଦେଶୀୟ ସୋୟାବିନ୍ର ମୂଲ୍ୟ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ରୁ ଉପରେ ରହିବ, ଯାହାଫଳରେ ତୈଳବୀଜ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ନାହିଁ।
ତେବେ ଶୁଳ୍କ କମିବା ଦ୍ୱାରା ଭାରତରେ ଚାହିଦା ବଢ଼ି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି। ତେଣୁ କେବଳ ଆମଦାନୀ ଶୁଳ୍କ କମାଇବା ନୁହେଁ, ବରଂ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ଦର ନିୟନ୍ତ୍ରଣ କରିବାକୁ ଶିଳ୍ପ ବିଶେଷଜ୍ଞମାନେ ମତ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।