ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର
ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ (ବିଏଏ) ବାଧ୍ୟତାମୂଳକ ହେବ। ସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯେପରି ପ୍ରକୃତ ଏବଂ ଯୋଗ୍ୟ ପରିବାର ନିକଟରେ ପହଞ୍ଚିପାରିବ, ତାହା ନିଶ୍ଚିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ସରକାର କହିଛନ୍ତି। ସରକାରୀ ସ୍ତରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ୱର ୧୯ ସୁଦ୍ଧା ୨୭.୪୩ କୋଟି ସକ୍ରିୟ ଘରୋଇ ଏଲ୍ପିଜି ଗ୍ରାହକ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏହି ଗ୍ରାହକମାନଙ୍କୁ ଆଉ କୌଣସି ପଦକ୍ଷେପ ନେବାକୁ ପଡ଼ିବ ନାହିଁ ଏବଂ ସେମାନେ ପୂର୍ୱଭଳି ରିଫିଲ ବୁକିଂ ଜାରି ରଖିପାରିବେ ବୋଲି କୁହାଯାଇଛି। ତେବେ ଯେଉଁ ଗ୍ରାହକମାନେ ଏହା ସମ୍ପୂର୍ଣ୍ଣ କରିନାହାନ୍ତି, ପ୍ରମାଣୀକରଣ ପ୍ରକ୍ରିୟା ସରିବା ପରେ ସେମାନଙ୍କ ପାଇଁ ସବ୍ସିଡି ସହିତ ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ରିଫିଲ ବୁକିଂ ସକ୍ଷମ କରାଯିବ। ବାୟୋମେଟ୍ରିକ ପ୍ରମାଣୀକରଣ ପ୍ରତ୍ୟେକ ଏଲ୍ପିଜି ସଂଯୋଗକୁ ଏକ ଆଧାର-ପ୍ରମାଣିତ ଗ୍ରାହକଙ୍କ ସହ ଯୋଡ଼ିବାରେ ସାହାଯ୍ୟ କରିବ ଏବଂ ବାଣିଜି୍ୟକ ତଥା ଶିଳ୍ପ ବ୍ୟବହାର ପାଇଁ ସବ୍ସିଡିଯୁକ୍ତ ଘରୋଇ ସିଲିଣ୍ଡରର ଅପବ୍ୟବହାରକୁ ରୋକିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।