ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ
ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ E20 ପେଟ୍ରୋଲକୁ ନେଇ ଉଠୁଥିବା ଇଞ୍ଜିନ ଖରାପ ହେବା ସମ୍ପର୍କିତ ଦାବିକୁ ଖାରଜ କରିଛନ୍ତି।
ଗଡକରୀ କହିଛନ୍ତି, ବିଶ୍ୱର ୧୯ଟି ଦେଶରେ ଇଥାନଲର ସଫଳ ବ୍ୟବହାର ହେଉଛି। ତାଙ୍କ ଦାବି ଅନୁସାରେ, E20 ପେଟ୍ରୋଲ ବ୍ୟବହାର ଯୋଗୁ ଭାରତୀୟ ଗାଡ଼ିର ଇଞ୍ଜିନ ଖରାପ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ଅଭିଯୋଗ ସାମ୍ନାକୁ ଆସିନାହିଁ। ଏହାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଅଭିଯାନକୁ ସେ ତେଲ ଶିଳ୍ପ ସହ ଜଡ଼ିତ ଲବିର ପ୍ରଚାର ବୋଲି ଅଭିହିତ କରିଛନ୍ତି।
କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ, ଅକ୍ଟୋବରରେ ଟୟୋଟାକୁ ଭାରତରେ ଇନୋଭାର 100% ଫ୍ଲେକ୍ସ-ଫ୍ୟୁଏଲ ଭାରିଆଣ୍ଟ ଲଞ୍ଚ ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ଗାଡ଼ି 100% ଇଥାନଲ (E100)ରେ ଚାଲିବାକୁ ସକ୍ଷମ ହେବ ବୋଲି ସେ ଦାବି କରିଛନ୍ତି।
ଗଡକରୀଙ୍କ ଅନୁସାରେ, ଗାଡ଼ି ଚାଲୁଥିବା ସମୟରେ ଏହା ପ୍ରାୟ 60% ବିଦ୍ୟୁତ ମଧ୍ୟ ଉତ୍ପାଦନ କରିପାରିବ। ପେଟ୍ରୋଲ ତୁଳନାରେ ଇଥାନଲ ବ୍ୟବହାରର ଖର୍ଚ୍ଚ ଗ୍ରାହକଙ୍କ ପାଇଁ ଲିଟର ପିଛା ପ୍ରାୟ ୨୫ ଟଙ୍କା ସମାନ ପଡ଼ିବ ବୋଲି ସେ କହିଛନ୍ତି। ଏହାସହ ଇଥାନଲ ଇନ୍ଧନ ଦ୍ୱାରା ପ୍ରଦୂଷଣ ମଧ୍ୟ କମିବ ବୋଲି ସେ ମତ ଦେଇଛନ୍ତି।
ଗଡକରୀ କହିଛନ୍ତି, ମକା ଓ ଆଖୁରୁ ଇଥାନଲ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଫଳରେ ଉତ୍ତରପ୍ରଦେଶ ଓ ବିହାରର କୃଷକମାନେ ଲାଭବାନ ହୋଇଛନ୍ତି। ତାଙ୍କ ଦାବି ଅନୁସାରେ, ଏହି ନୀତି ଯୋଗୁଁ ଗରିବ କୃଷକଙ୍କୁ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଆୟ ମିଳିଛି।
ସେ ଆହୁରି କହିଛନ୍ତି ଯେ, ଦେଶରେ ଇଥାନଲ ଆଧାରିତ ଇନ୍ଧନକୁ ପ୍ରୋତ୍ସାହନ ଦେବା ପଛରେ କୃଷକଙ୍କ ଆୟ ବଢ଼ାଇବା ଓ ତେଲ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ମୁଖ୍ୟ ଉଦ୍ଦେଶ୍ୟ। ତେଲ ଆମଦାନୀ ବ୍ୟବସାୟରେ ପ୍ରଭାବ ପଡ଼ୁଥିବା ଲୋକେ ତାଙ୍କ ନୀତିକୁ ସମାଲୋଚନା କରିବେ ବୋଲି ଗଡକରୀ କହିଥିବା ବେଳେ, କୃଷକଙ୍କ ହିତ ତାଙ୍କ ପାଇଁ ପ୍ରାଥମିକତା ବୋଲି ମତ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।