ପୋଲାର୍ଡଙ୍କୁ ମିଳିଲା ମୁମ୍ବାଇ ଇଣ୍ଡିଆନ୍ସର ଗୁରୁଦାୟିତ୍ୱ
ମୁମ୍ବାଇ,୨୪ା୧୦: ଆଇପିଏଲ୍ ୨୦୨୭ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର କିରନ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫ଥର ଚାମ୍ପିୟନ ଦଳ ପକ୍ଷରୁ ଶନିବାର ଏହା ଘୋଷଣା କରାଯାଇଛି। ପୋଲାର୍ଡ ଗତ କିଛି ସିଜନ ହେଲା ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ୍ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ ତାଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି।
ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନ୍ୟତମ ସଫଳ ଦଳ ଭାବେ ବିବେଚନା କରାଯାଇଥାଏ। ଦଳ ଶେଷ ଥର ପାଇଁ ୨୦୨୦ରେ ଟାଇଟଲ ବିଜୟୀ ହୋଇଥିଲା। ୩୯ ବର୍ଷୀୟ ପୋଲାର୍ଡ ବିଶ୍ୱସାରା ଫ୍ରାଞ୍ଚାଇଜ୍ ଟି୨୦ ଲିଗ୍ରେ ଖେଳିଛନ୍ତି।
ଆଇପିଏଲ୍ରେ ସେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିିଛନ୍ତି। ସେ ୨୦୦୯-୧୦ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦାନ କରିଥିଲେ। ଦଳ ପକ୍ଷରୁ ଆଇପିଏଲରେ ଶେଷ ଥର ପାଇଁ ସେ ୨୦୨୨ ସଂସ୍କରଣରେ ଖେଳିଥିଲେ।
ଚଳିତବର୍ଷ ମେଜର ଲିଗ୍ କ୍ରିକେଟରେ ମୁମ୍ବାଇ ଇଣ୍ଡିିଆନ୍ସ ନ୍ୟୁୟର୍କ ତରଫରୁ ଖେଳିଥିଲେ। ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୮୯ ଆଇପିଏଲ୍ ମ୍ୟାଚ ଖେଳି ୧୬ ଅର୍ଦ୍ଧଶତକ ସହ ୩,୪୧୨ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ ୧୪୭.୩୨ ଏବଂ ଆଭରେଜ ୨୮.୬୭ ରହିଥିଲା। ସେ ଆହୁରି ମଧ୍ୟ ୬୯ ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ ଫିଗର ୪/୪୪ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।