ପ୍ରଦର୍ଶନୀରୁ ଯୁବ ବିକ୍ଷୋଭର ଫଟୋ ହଟାଇବାକୁ ବାଧ୍ୟ ହେଲେ ରାହୁଲ ଗାନ୍ଧୀଙ୍କ ଭଣଜା, ଦେଶରେ ହଇଚଇ!
ନୂଆଦିଲ୍ଲୀ,୨୩ା୧୦(ରଏଟର୍ସ): ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭଣଜା ତଥା ଏମ୍ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ତାଙ୍କ ଫଟୋ ଓ ଚିତ୍ର ପ୍ରଦର୍ଶନୀରୁ ନିକଟରେ ଦିଲ୍ଲୀରେ ହୋଇଥିବା ଯୁବ ବିକ୍ଷୋଭର କିଛି ଫଟୋ ହଟାଇବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣାକୁ ନେଇ ନୂଆଦିଲ୍ଲୀରେ ରାଜନୈତିକ ତଥା ସାଂସ୍କୃତିକ ବିବାଦ ସୃଷ୍ଟି ହୋଇଛି । ରେହାନ ଜଣେ ଭିଜୁଆଲ ଆର୍ଟିଷ୍ଟ ଓ ଫଟୋଗ୍ରାଫର । ନୂଆଦିଲ୍ଲୀସ୍ଥିତ ରାଜସ୍ଥାନ ସରକାରଙ୍କ ଅଧୀନରେ ଥିବା ‘ବିକାନେର ହାଉସ୍’ରେ ବୁଧବାର ତାଙ୍କର ସୋଲୋ ପ୍ରଦର୍ଶନୀ ‘ନୋ ଆଇଡିଆ ଇଜ୍ ଫାଇନାଲ’ ଆୟୋଜିତ ହୋଇଥିଲା। ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ବିକାନେର ହାଉସ୍ ପ୍ରଶାସନ ପକ୍ଷରୁ ପ୍ରଦର୍ଶନୀର ୧୦୫ଟି ଫଟୋ ମଧ୍ୟରୁ ପ୍ରାୟ ୭୦ରୁ ଅଧିକ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଟୋ ନ ହଟାଇଲେ ପ୍ରଦର୍ଶନୀ ବାତିଲ କରାଯିବ ଏବଂ ହଲ୍ ସିଲ୍ କରାଯିବ ବୋଲି ତାଗିଦ ମଧ୍ୟ କରାଯାଇଥିବା ରେହାନ ଅଭିଯୋଗ କରିଛନ୍ତି।
ହଟାଯାଇଥିବା ଫଟୋଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ଗତ କିଛି ମାସ ମଧ୍ୟରେ ହୋଇଥିବା ଯୁବ ବିକ୍ଷୋଭ ଓ ଆନ୍ଦୋଳନ ସମ୍ପର୍କିତ ଫଟୋ ଥିଲା। ଏପରିକି ଜାତୀୟ ପତାକା ତ୍ରିରଙ୍ଗା ଥିବା ଦୁଇଟି ଫଟୋ ମଧ୍ୟ ହଟାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ରେହାନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିକାନେର ହାଉସ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଏହି ଫଟୋଗୁଡ଼ିକ ସଂସ୍ଥାର ନୀତି ନିୟମ ସହ ମେଳ ଖାଉନାହିଁ ଏବଂ ଏଗୁଡ଼ିକରେ ରାଜନୈତିକ ବାର୍ତ୍ତା ରହିଛି।
ରେହାନଙ୍କ କହିବା ଅନୁଯାୟୀ, ସେ ସମ୍ପୂର୍ଣ୍ଣ ଯୋଜନା ଓ ଲେ-ଆଉଟ୍ ପୂର୍ବରୁ ବିକାନେର ହାଉସ୍ ପ୍ରଶାସନକୁ ଦେଇଥିଲେ। ଏହି ଫଟୋଗୁଡ଼ିକ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନ ଥିଲା, ବରଂ ଘଟଣାବଳୀର ଡକ୍ୟୁମେଣ୍ଟେଶନ ଥିଲା। ସେ ଏହାକୁ କଳା ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ କଟକଣା ବୋଲି ଅଭିହିତ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଏହି ପଦକ୍ଷେପକୁ ହାସ୍ୟାସ୍ପଦ ବୋଲି କହିବା ସହ ଯୁବପିଢ଼ିଙ୍କ ସ୍ବରକୁ ଦବାଇବା ପାଇଁ ଏଭଳି ସେନ୍ସରଶିପ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ‘ଯେତେବେଳେ କ୍ଷମତାରେ ଥିବା ବ୍ୟକ୍ତି ଅନ୍ୟଜଣଙ୍କର ଅଭିବ୍ୟକ୍ତିକୁ ନେଇ ଭୟଭୀତ ହୁଏ, ସେତେବେଳେ ସେ ନିଜେ ଜାଣିପାରେ ନାହିଁ ଯେ ସେ ଯେଉଁ କ୍ଷମତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି, ତାହାକୁ ସେ ଆଗରୁ ହରାଇ ସାରିଛି।’ ଅଶୋକ ଗେହଲୋଟଙ୍କ ସମେତ ଅନେକ ବିରୋଧୀ ନେତା ଏହାକୁ ଗଣତନ୍ତ୍ର ଓ କଳାକାରଙ୍କ ଅଧିକାର ଉପରେ ଆକ୍ରମଣ ବୋଲି କହି କେନ୍ଦ୍ର ତଥା ରାଜସ୍ଥାନ ଭାଜପା ସରକାରଙ୍କୁ ସମାଲୋଚନା କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।