ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

Sep 16, 2026 - 09:29
ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ। ଫଳରେ ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ କୋମଳମତି ଶିଶୁମାନେ ବସିବାକୁ ବାଧ୍ୟ ହେଉଛନ୍ତି। ସୂଚନା ଅନୁସାରେ, ଲାଞ୍ଜିଗଡ଼ ୧ ନମ୍ବର ୱାର୍ଡ ମହାଦେବପଡ଼ା ଓ ପ୍ରଧାନୀପଡ଼ାରେ ୧୯୮୧ ମସିହାଠାରୁ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଲୋକଙ୍କ ଘର ବାରଣ୍ଡାରେ କେନ୍ଦ୍ର ଚାଲିଥିଲା। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ୨୦୧୫ରେ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ୨୦୨୧ରେ ସମ୍ପୂର୍ଣ୍ଣ ହୋଇଥିଲା। ହେଲେ ଏହା ହସ୍ତାନ୍ତର ହୋଇ ନ ଥିବାରୁ ଲୋକଙ୍କ ଘର ଓ ବିଭିନ୍ନ ଅନୁଷ୍ଠାନ ବାରଣ୍ଡାରେ କେନ୍ଦ୍ର ଚାଲିଆସୁଛି। ବର୍ତ୍ତମାନ ସୁଦ୍ଧା ୮ଟି ସ୍ଥାନ ବଦଳାଇଥିବା ପରେ ଶେଷରେ ରାଜାରାଜୁଡା ଅମଳର ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ଏହା ଚାଲିଛି। ଏହି ବିଦ୍ୟାଳୟ ୧୩୫ ବର୍ଷର ହୋଇଥିବା ବେଳେ ମଝିରେ ମଝିରେ କାଠ ଖଣ୍ଡ ଖସୁଥିବାରୁ ଶିଶୁଙ୍କ ପାଇଁ ବିପଦ ରହିଛି। ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର କୋଠା ତିଆରି କରିଥିବା ସମ୍ପୃକ୍ତ ଠିକାଦାରଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରାପ୍ୟ ମିଳିନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଠିକାଦାର ଜଣକ ନୂତନ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲାଇ ଦେଇଛନ୍ତି। ଫଳରେ ଶିଶୁମାନେ ଭଙ୍ଗାଦଦରା ସ୍କୁଲ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ସେହି ଗୃହର ତାଲା ଭାଙ୍ଗି ୪ମାସ ହେବ ଏକ ବୃଦ୍ଧ ଦମ୍ପତି ରହୁଥିବା ଦେଖିବାକୁ ମିଳୁଛି। ଏଣୁ ବ୍ଲକ ପ୍ରଶାସନ, ବ୍ଲକ ଶିଶୁ ମଙ୍ଗଳ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ ସିଡିପିଓ ନିରୁପମା ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପାତ୍ରଙ୍କୁ ପଚାରିବାରୁ ଏ ବିଷୟରେ ଅବଗତ ନାହିଁ, ପଚାରି ବୁଝି ଜଣାଇବେ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।