ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

Sep 27, 2026 - 16:53
ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ ଗାଁକୁ ଯାଇପାରୁନି। ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଭାର କରି ୬ କିଲୋମିଟର ବୋହିବାକୁ ପଡ଼ିଲା।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳର ମୋହନାଗୁଡ଼ା ଗାଁରେ। ମାଟି ଆଉ ପଥୁରିଆ ରାସ୍ତା ବାଟରେ ପଡ଼ୁଛି ନାଳ। ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ବି ପହଞ୍ଚି ପାରୁନି। ରବିବାର ସକାଳେ ମୋହନାଗୁଡ଼ା ଗାଁର ମାଳତୀ ମାଝୀ (୧୯)ଙ୍କୁ ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଗାଁର ରାସ୍ତା ଏମିତି ଯେ, ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିଲାନି। ପ୍ରାୟ ୬ କିଲୋମିଟର ଦୂର ବନ୍ଧାଗୁଡ଼ା ନିକଟରେ ଅଟକି ରହିଲା ଆମ୍ବୁଲାନ୍ସ। ଶେଷରେ ଉପାୟ ନପାଇ ଗ୍ରାମବାସୀ ଚେୟାରରେ ବସାଇ ଭାର କରି ମାଳତୀଙ୍କୁ ୬ କିଲୋମିଟର ବୋହି ଆଣିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲରେ ଭର୍ତ୍ତି କରାଗଲା। ସେଠାରେ ମାଳତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ତ୍ରିଶୂଳ ସେନାପତି କହିଛନ୍ତି ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।