ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍ ଖେଳିଲେ ସୌରଭ ଗାଙ୍ଗୁଲି-ରାହାଣେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୪।୧୦: ଭାରତର ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲି ଓ ଅଜିଙ୍କ୍ୟ ରାହାଣେ ପୁଣି ଥରେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି । ତେବେ ଏଥର ଏହି ମ୍ୟାଚ୍ର କାରଣ ଥିଲା କିଛି ଖାସ୍। ଦୁହେଁ ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍ ଖେଳିଛନ୍ତି। ଏହି ଅବସରରେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ କ୍ରିକେଟର୍ ବ୍ରାଏନ୍ ଲାରାଙ୍କ ସମେତ ଅନ୍ୟ ପ୍ରମୁଖ ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ।
ଭାଇରାଲ୍ ହୋଇଥିବା ଫଟୋରେ ସୌରଭ ଗାଙ୍ଗୁଲି ପ୍ରିନ୍ସ ୱିଲିୟମଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ସମସ୍ତ ଖେଳାଳି ଓ ଅଧିକାରୀ ଏକାଠି ଛିଡ଼ା ହୋଇଥିବା ନଜର ଆସିଛନ୍ତି । ନଭେମ୍ବରରେ ମୁମ୍ବାଇରେ ହେବାକୁ ଥିବା ଅର୍ଥସଟ୍ ପ୍ରାଇଜ୍ ପୁରସ୍କାର ସମାରୋହ ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରାଯାଇଥିଲା। ମଙ୍ଗଳବାର ଲଣ୍ଡନର ବକିଂହାମ୍ ପ୍ୟାଲେସ୍ ସମ୍ମୁଖରେ ଥିବା ‘ଦ ମଲ୍’ରେ ଟେନିସ୍ ବଲ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା।
ପ୍ରିନ୍ସ ୱିଲିୟମଙ୍କ ନିମନ୍ତ୍ରଣରେ ଖେଳାଳିମାନେ ଏହି ମ୍ୟାଚ୍ରେ ସାମିଲ ହୋଇଥିଲେ। ଅଜିଙ୍କ୍ୟ ରାହାଣେ ବୁଧବାର ଲିଙ୍କଡଇନ୍ରେ ନିଜର ଅନୁଭୂତି ସେୟାର କରିଥିଲେ । ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ର ବ୍ରାଏନ୍ ଲାରାଙ୍କ ସହ ଇଂଲଣ୍ଡର ଜୋ ରୁଟ୍ ଓ ହ୍ୟାରି ବ୍ରୁକ୍ ମଧ୍ୟ ଭାଗ ନେଇଥିଲେ। ରାହାଣେ ଲେଖିଥିଲେ ଯେ କ୍ରିକେଟ୍ ତାଙ୍କୁ ବିଶ୍ୱର ଅନେକ ଚମତ୍କାର ଷ୍ଟାଡିୟମ୍ରେ ଖେଳିବାର ସୁଯୋଗ ଦେଇଛି। କିନ୍ତୁ ଲଣ୍ଡନର ବକିଂହାମ୍ ପ୍ୟାଲେସ୍ ସମ୍ମୁଖରେ ଟେନିସ୍ ବଲ୍ରେ କ୍ରିକେଟ୍ ଖେଳିବାର ଅନୁଭୂତି ତାଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ।
ବ୍ରାଏନ୍ ଲାରା, ସୌରଭ ଗାଙ୍ଗୁଲି, ହ୍ୟାରି ବ୍ରୁକ୍, ଜୋ ରୁଟ୍ ଓ ପ୍ରିନ୍ସ ୱିଲିୟମଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଭେଟିବା ଏବଂ ସେମାନଙ୍କ ସହ ଖେଳିବା ନିଜ ପାଇଁ ଏକ ସୌଭାଗ୍ୟ ବୋଲି ସେ କହିଛନ୍ତି। ରାହାଣେଙ୍କ ମତରେ, କ୍ରିକେଟ୍ରେ ସମସ୍ତଙ୍କୁ ଏକାଠି କରିବାର ଅଦ୍ଭୁତ ଶକ୍ତି ରହିଛି । ପରିବେଶ ସଙ୍କଟର ମୁକାବିଲା ପାଇଁ ପ୍ରଭାବଶାଳୀ ସମାଧାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରିନ୍ସ ୱିଲିୟମ ୨୦୨୦ରେ ଅର୍ଥସଟ୍ ପ୍ରାଇଜ୍ର ଶୁଭାରମ୍ଭ କରିଥିଲେ। ଏଥର ଏହାର ଷଷ୍ଠ ସଂସ୍କରଣ ଆୟୋଜିତ ହେବ । ଆସନ୍ତା ନଭେମ୍ବର ୧୭ ତାରିଖରେ ମୁମ୍ବାଇରେ ଏହି ସମାରୋହ ହେବାକୁ ଥିବା ବେଳେ, ପ୍ରଥମ ଥର ପାଇଁ ଭାରତ ଏହାର ଆୟୋଜନ କରିବ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।