‘ଭାଜପାକୁ ସମର୍ଥନ କରିବି, କିନ୍ତୁ…’ ଧ୍ରୁବ ରାଠୀଙ୍କ ଏହି ସର୍ତ୍ତକୁ ନେଇ ଚର୍ଚ୍ଚା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୪।୧୦: ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଭାଜପାକୁ ସମର୍ଥନ କରିବା ନେଇ ସେ ନିଜର ମତ ରଖିବା ସହ ଏକ ସର୍ତ୍ତ ବିଷୟରେ ମଧ୍ୟ କହିଛନ୍ତି। ଏହି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି କରାଯାଉଛି।
ରିପୋର୍ଟ ଅନୁସାରେ, ଅକ୍ଟୋବର ୧୦ ତାରିଖରେ କକ୍ରୋଚ ଜନତା ପାର୍ଟି (CJP)ର ଆନ୍ଦୋଳନରେ ଭାଗ ନେବା ପାଇଁ ଧ୍ରୁବ ରାଠୀ ଭାରତ ଆସିଥିଲେ। ଏହି ସମୟରେ ହରିୟାଣା ପୋଲିସ ତାଙ୍କୁ ଅଟକ ରଖିବା ସହ ପୁଣି ଜନ୍ତର ମନ୍ତରକୁ ଗଲେ ହେପାଜତକୁ ନିଆଯାଇପାରେ ବୋଲି ଚେତାବନୀ ଦେଇଥିବା ଖବର ପ୍ରକାଶ ପାଇଛି। ଏହାପରେ ସେ ଗୁରୁଗ୍ରାମସ୍ଥିତ ନିଜ ଘରେ ଥିବା କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ଧ୍ରୁବ ରାଠୀ ଆନ୍ଦୋଳନରେ ଯୋଗଦେବାର ଉଦ୍ଦେଶ୍ୟ ଏବଂ ବିଭିନ୍ନ ରାଜନୈତିକ ଦଳ ପ୍ରତି ନିଜର ମତ ସ୍ପଷ୍ଟ କରିଛନ୍ତି।
ଏକ ନ୍ୟୁଜ୍ ଚ୍ୟାନେଲ ସହ ଆଲୋଚନା ବେଳେ ଧ୍ରୁବ ରାଠୀ କହିଛନ୍ତି ଯେ, ସେ ଜଣେ ସାଧାରଣ ନାଗରିକ ଭାବେ ପ୍ରତିବାଦରେ ସାମିଲ ହେବା ପାଇଁ ଭାରତ ଆସିଥିଲେ। ସେ ନିଜକୁ କୌଣସି ନେତା କିମ୍ବା ଆନ୍ଦୋଳନର ମୁଖ୍ୟ ଭାବେ ଦେଖନ୍ତି ନାହିଁ। ଜଣେ ସାଧାରଣ ନାଗରିକ ଭାବେ ଏହି ଆନ୍ଦୋଳନରେ ଭାଗ ନେବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।
ତାଙ୍କ କହିବା ଅନୁସାରେ, ଏହା ଏକ ବଡ଼ ଆନ୍ଦୋଳନ ଏବଂ ଏଥିରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଛନ୍ତି।
ଧ୍ରୁବ ରାଠୀଙ୍କୁ ପଚରାଯାଇଥିଲା ଯେ, କଂଗ୍ରେସ ଓ CJPର ଆନ୍ଦୋଳନ ମଧ୍ୟରୁ କେଉଁଠି ତାଙ୍କୁ ଦେଖିବାକୁ ମିଳିବ? ଏହାର ଉତ୍ତରରେ ସେ କହିଥିଲେ ଯେ, ଯେଉଁ ରାଜନୈତିକ ଦଳ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ, ସେ ସେହି ଦଳକୁ ସମର୍ଥନ କରିବେ।
ବର୍ତ୍ତମାନ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନିର୍ବାଚନ ଆୟୋଗର ତ୍ରୁଟିଗୁଡ଼ିକୁ ଦୂର କରିବା ଏବଂ ଏହାର କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିବା ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ସେ ନିଜର ସୱର ଉଠାଇ ଚାଲିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ଧ୍ରୁବ ରାଠୀ କହିଛନ୍ତି ଯେ, ଆସନ୍ତାକାଲି ଯଦି ଭାଜପା ମଧ୍ୟ ନିର୍ବାଚନ ଆୟୋଗର ସଂସ୍କାର ପ୍ରସଙ୍ଗ ଉଠାଏ, ତେବେ ସେ ଭାଜପାକୁ ମଧ୍ୟ ସମର୍ଥନ କରିବେ। ଅର୍ଥାତ୍ ଯେଉଁ ଦଳ ଏହି ପ୍ରସଙ୍ଗରେ ପଦକ୍ଷେପ ନେବ, ସେହି ଦଳର ପକ୍ଷରେ ସେ ଠିଆ ହେବେ ବୋଲି ତାଙ୍କ ବୟାନରୁ ସ୍ପଷ୍ଟ ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।